ମମତାକୁ ଦେଲି ବାଜି
ମମତାକୁ ଦେଲି ବାଜି
ମୋ ଦେହ ନିଗିଡ଼ା ରକତ ମାଉଁସ
ସଙ୍କେତକୁ ଆପଣେଇ
ଦଶ ମାସ ଧନ ଗରଭେ ଧରିଛି
ପ୍ରଶ୍ୱାସର ପ୍ରାଣ ଦେଇ !
ମରଣଠୁ ବଳି ପ୍ରସବ ବେଦନା
ସହିବା କେତେ କଠିନ
ତୋ ଜନମ କାଳେ ଆତମ ତୃପ୍ତିରେ
ଭୁଲି ଯାଇଥିଲି ଧନ !
ଏପାଖେ ଜାବୁଡି ଧରିଥିଲା କେତେ
ବାତ୍ସଲ୍ୟ ମମତା ଭିଡି
ସେପାଖେ କଂସର ଅସୁର ସ୍ଵଭାଵ
ଅନ୍ତରକୁ ଥିଲା ଫାଡ଼ି !
ତୋତେ ପାଇବାର ଖୁସି ଠାରୁ ପରା
ବଳିଯାଇଥିଲା ଦୁଃଖ
ଜନମ ଦାୟିନୀ ନିଜ ସନ୍ତାନଠୁ
ହୋଇକି ପାରେ ବିମୁଖ !
ମୋଠାରୁ ଦୁରେଇ,ଜୀବନକୁ ନେଇ,
ଖୁସିଥା ଧନ ସୁନ୍ଦର,
'ହାତୀଟିଏ ବନେ ଥିଲେ ସୁରକ୍ଷିତ
ବୋଲାଯାଏ ରାଜାଙ୍କର' !
ବାତ୍ସଲ୍ୟ ମମତା ସାଉଁଟିକି ଧରି
ଛାତିକୁ କଲି ପଥର,
ପଣ କଲି ତୋତେ ଝୁରି ହେବିନାହିଁ
ଚାହେଁ ତୋ ସୁଖ ସଂସାର!
ମୋ ଅନ୍ତର କଥା ଆଉକେ ନ ଜାଣୁ
ତୁ ଜାଣୁ ଅନ୍ତରଯାମୀ
ତୋ ଅଂଶ ପ୍ରମାଣ ଦେଇମୋ ଗରଭେ
କଲୁ ମତେ ଚିର ଋଣୀ !
ପ୍ରାଣଠାରୁ ବଳି ପ୍ରାଣର ଟୁକୁଡା
କିଏକି ପାରଇ ତେଜି,
ଦେବକୀ ମାଆ ମୁଁ ଜଗତର ହିତେ
ମମତାକୁ ଦେଲି ବାଜି !
