STORYMIRROR

Dr Baman Chandra Dixit

Tragedy Others

3  

Dr Baman Chandra Dixit

Tragedy Others

ମଲା ମୂରୁଛନା

ମଲା ମୂରୁଛନା

1 min
166

ଜଳତରଙ୍ଗ ମୁଁ ବଜାଉଛି ସିନା 

ପିଆଲାରେ ଲୁହ ଭରିଛି

ସାନ୍ଧ୍ରତା ବହଳ ତୋଳେନାହିଁ ତାଳ

ମଲା ମୂରୁଛନା ଚାହିଁଛି।।


ଶୋଇଛି ଶେଫାଳୀ ଘାସ ଗାଲିଚାରେ

ଶବ ଦେହେ ଶିବ ଫେରିବ ଭାବି

ତୋଳିନେବ କେହି ଚାଙ୍ଗୁଡ଼ିରେ ଥୋଇ

ଦେଖିବ ସକାଳ ସୁନେଲୀ ଛବି

ସରେ ସିନା ଆଶ୍ରା ମରେନାହିଁ ଆଶା

ବିଶ୍ବାସେ ନିଃଶ୍ୱାସ ଧରିଛି।।


ଢଳଢଳ ଆଖି ଛଳଛଳ ଛାତି

ଛଲକିବା ଭୁଲି ଗଲାଣି

ତଥାପି କେମିତି ହାତ ପାପୁଲି ମୋ

ଓଦା ଓଦା ଲାଗେ କେଜାଣି

ଥରଥର ହାତେ କାଠିକୁ ଛୁଏଁଇଁ

ତରଙ୍ଗ ତୋଳିବି ଭାବୁଛି।।


ସୁବାସ ଯେତେ ମୋ ଛଡେଇ ନେଇଛି

ମନ୍ଦ ମନ୍ଦ ଛନ୍ଦେ ଆବେଗ ଥୋଇ

ପଳାତକ ବୋଲି ପହିଲି ପବନ

ଜାଣିଥିଲେ ଭାବ ନଥାନ୍ତି ଦେଇ

ଉଡ଼ା କପୁରର ଚିରା କପଡ଼ା ମୁଁ

ନିଜ ଗନ୍ଧେ ନିଜେ ମୋହୁଛି।।


ସନ୍ଧି ମୁହୂର୍ତ୍ତ ମୁଁ ପୂର୍ବାପର ହୀନ

ସ୍ୱଳ୍ପ ଆୟୁଷ ର ଅଳ୍ପ ଅସ୍ତିତ୍ୱ

ପତର ହଲୁଛି ଛାଇ ଚହଲୁଛି

ବିଦ୍ରୁପ-ଗ୍ରାସୀ କିଦୃପ ବ୍ୟକ୍ତିତ୍ୱ

ଅସ୍ତି ନାସ୍ତି ମଧ୍ୟେ ସ୍ୱସ୍ତି ମନ୍ତ୍ର ମୁଁ ଯେ

ଦ୍ରବିତ ମୁହୂର୍ତ୍ତ ଧରିଛି।।


ଆରୋହ କାଳକୁ ସ୍ୱର ଫାଟି ଯାଏ

ଗୀତରେ ଝଲକେ କୋହ କାହିଁକି

ତଥାପି ଏ ଗୀତ ଜୀବନ ସଙ୍ଗୀତ

ନିର୍ଗତ ହେବାକୁ ରହେ ଚାହିଁକି

ଗାଉଥିବି ଶୁଣୁଥିବି ଶେଷ ଯାଏ

ଜୀବନର ରାହା ଧରିଛି।



Rate this content
Log in

Similar oriya poem from Tragedy