ମଲା ଆଲୁଅର ଖିଅ
ମଲା ଆଲୁଅର ଖିଅ
ବେଳା ବାଲୁକା ମୁଁ ସାଗର ଢେଉରେ
ନିଇତି ଧୋଉଛି ମୁହଁ
ତୁମେ ଗଲାପରେ ଗୁପତେ ରଖିଛି
ତୁମ ଦିଆ କିଛି ଲୁହ।
କହିପାର ତୁମେ ପ୍ରବଞ୍ଚନା ବୋଲି
ଅଭିଯୋଗ ନାହିଁ ମୋର
ପ୍ରତାରଣା ଆଉ ପ୍ରବଞ୍ଚନା ମଧ୍ୟେ
ମୁଁ ସେହି ଅଲିଭା ଗାର
ଛୁଇଁ ଦେଖ ଥରେ ନିଦା ଛାତିରେ ମୋ
ଅଟକିଛି କେତେ କୋହ।
ଛାଡ଼ି ମୁଁ ପାରୁନି ବଞ୍ଚିବାର ନିଶା
ମରିବା ପରେ ବି ଆଶା
ଚରି ଫେରିଯାଏ ଢେଉ ମାଳ ମାଳ
ତଥାପି ଅମାପ ତୃଷା
ଆହତ ଅଶ୍ୱ ର ବିରତ ବିଶ୍ୱାସ
ମୃତ ବା ଜୀବିତ କୁହ।
ଆରକ୍ତ ପ୍ରତୀତ ସାଗର ର ବକ୍ଷ
ଅସ୍ତମିତ ରବି ରଙ୍ଗେ
ରିକ୍ତ ଅଭିପ୍ରାୟ ତ୍ୟକ୍ତ ମୁଁ ପ୍ରତ୍ୟୟ
ପରାହତ ଭାବ ଭଙ୍ଗେ
ଅଙ୍ଗେ ଅଙ୍ଗେ ମଖା ପରାଜୟ ଲେଖା
ମରଣର ପରିଚୟ।
ପୁରୁଣା ଘରର ଅଧାକାନ୍ଥ ଠିଆ
ଛପର ଗଲାଣି ଉଡ଼ି
ଠଣାରେ ବସିଛି ଢିବିରି ପରି ମୁଁ
ତୁମେ ରଖିଥିଲ ବୋଲି
ଲିଭେଇ ଦେଇଛି ବତାସ କିନ୍ତୁ ମୁଁ
ମଲା ଆଲୁଅର ଖିଅ।
ଢ଼ିବିରି ଦେଖୁଛି ସଳିତା ଶୁଖୁଛି
ବେଳା ବାଲୁକାର ତୃଷା
ଉଜୁଡ଼ା ଘରର ଉଲୁରା ଛପର
ଆଖିର ଅକୁହା ଆଶା
ଆସ ଆସି ଥରେ ଅନ୍ତିମ ପ୍ରହରେ
ଜୁଇ ଛୁଇଁ ଫେରିଯାଅ।।
**************************