ମଜା ମୁଁ ପାଇଲି ଜଗା
ମଜା ମୁଁ ପାଇଲି ଜଗା
ଏତେ କାଳ ଧରି-ତୋତେ ଭଜିବାର
ମଜା ମୁଁ ପାଇଲି ଜଗା ,
ଭାବି ନ ଥିଲି ମୋ ବିଶ୍ୱାସକୁ ଭାଙ୍ଗି
ଦେବୁବୋଲି ମୋତେ ଦଗା ।
ମୋର,କରମ ଏଡ଼ିକି ବାମ ;
ଯେ ଯେତେ କହିଲେ ଶୁଣିଲିନି କିଛି
ତୁଣ୍ଡେ ନେଲି ତୋର ନାମ ।(୦)
କେ କହିଲା-ତୁହି ଭାରି କପଟିଆ
ଆପଣା ଲୋକର ସଖା ,
କଥାଟି ତୋହର ଭାରି ଚିକ୍କଣିଆ
ସତେ କି ଲହୁଣି ମଖା ।
ଆନ ଜନଙ୍କୁ ତୁ ଇତର ମଣିକି
କରାଉ ଯାହା ଅଭାଗା !(୧)
ଭାବି ନ ଥିଲି ମୋ ବିଶ୍ୱାସକୁ ଭାଙ୍ଗି
ଦେବୁ ବୋଲି ମୋତେ ଦଗା ।
ଏଡ଼େ ବଡ଼ ନାଆଁ ବୋଲାଇ ଦେଖାଉ
ତୁ ପୁଣି ଛୋଟିଆ ପଣ ,
ଧୀରେଧୀରେ ଜଣାପଡ଼ି ସରିଲାଣି
ଯେତେକ ଗୁମର ଗୁଣ ।
ଉପରକୁ ସିନା ଏଡ଼େ ନିରିମଳ
ଭିତର ତୋ ଧୂଳିଲଗା ।(୨)
ଭାବି ନ ଥିଲି ମୋ ବିଶ୍ୱାସକୁ ଭାଙ୍ଗି
ଦେବୁବୋଲି ମୋତେ ଦଗା.....
(ଘୋଷ)
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।
