ମିତାର କବିତା
ମିତାର କବିତା
ମିତାର ସହର ରେ ଆଜିକାଲି
ଖୁବ ବେଶି ଗହଳଚହଳ
ବୋଧେ ବସନ୍ତ ର ବାସନ୍ତୀ ଛୁଆଁ ରେ
ସକାଳ ଠୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ର ଖରା
ଏବେ ବେଶ ସ୍ନିଗ୍ଦ କୋମଳ
ସକାଳ ଅଳସ ଭାଙ୍ଗିଲା ବେଳକୁ
ମିତା ଚଢି ସାରିଥାଏ
ଦୈନନ୍ଦିନ ଜୀବନଚର୍ଯ୍ୟା ର ପାହାଚ
ହାତ ପାଆନ୍ତାରେ ତୋଳିନିଏ
ମୁହୂର୍ତ୍ତର ଫୁଲ ସବୁକୁ
ସଜାଇ ଦିଏ କେଶବତୀ କନ୍ୟାର
ଗଭୀର ଜୁଡ଼ାରେ
ତୃପ୍ତିରେ ଝଲମଲ ଦୀପ୍ତ ଶିଖାଟିଏ
କେଉଁଠି ଥାଏ କେଜାଣି
ଛପି ଛପି ଉଙ୍କିମାରେ
ମିତାର ହସ ରେ
ଜଞ୍ଜାଳ ତ କମ ନୁହେଁ ;
କଥା ଆଉ କାହାଣୀରେ
ପାତ୍ର, ମନ୍ତ୍ରୀ ,କଟୁଆଳ
ସମସ୍ତେ ରାଜାଙ୍କର ପ୍ରତୀକ୍ଷା ରେ
କିନ୍ତୁ ରାଜାଙ୍କର ମନତଳେ
ଘର କରିଥାଏ କାହାଣୀ ର ରାଣୀ
ଲମ୍ବ କେଶ ଧୋଉଥାଏ
ଜୀବନ ଗଙ୍ଗାରେ
କହିବାକୁ ପଡେନି ମିତାକୁ
କଷିବାକୁ ଜୀବନ ଗଣିତ ର
ଜଟିଳ ସୂତ୍ର
ହାତ ଖୋଲି ସୂର୍ଯ୍ୟ କୁ ମୁଠାଇ
ଆଖିରେ ରଖିଦିଏ
କିଛି କଥା କୁ ସାଇତି ଦିଏ
ଜହ୍ନ ,ତାରା ,
ନିଅନ ଆଉ ଫ୍ଲୋରୋସେଣ୍ଟ ଲାଇଟ ପାଇଁ
କ୍ଳାନ୍ତିକୁ ଥଟ୍ଟା କରିବା ନିମନ୍ତେ
ଯଥେଷ୍ଟ ହୋଇ ଯାଏ
ମିତା ଯେତେବେଳେ ବାଢ଼ିବସେ
କାହାଣୀ ପେଡିରୁ
ଅନୁଭବର ଗୋଟି ମୁକ୍ତା -
ସେତେବେଳେ ସମୟ ମୁଖରିତ
ମୁହୂର୍ତ୍ତ ପୁଲକିତ
ଅନୁଭୂତି ରୋମାଂଚିତ
ସମ୍ଭାବନା ରେ ଉଜ୍ଜ୍ବଳି ଉଠେ
କେଶବତୀ ମିତାର ଚର୍ଚ୍ଚା
କାହାଣୀ ଓ କବିତା ର
ଲମ୍ବା ଏକ ରାସ୍ତା
ନିଜକୁ ନିଜ ପରି ଭଲପାଉଥିବା
ଅସରନ୍ତି କଥା ର ନାୟିକା
ଶବ୍ଦ ଶୃଙ୍ଗାର ରେ ସଜାଇ ହୋଇ
ପାଦ ପକାଏ ଆଗକୁ ଆଗକୁ ,
ଯେଉଁଠି ସୂର୍ଯ୍ୟ ଶୋଇଗଲା ପରେ ମଧ୍ୟ
ଆକାଶରେ ଜହ୍ନ ହସୁଥାଏ
ଜୀବନ କହୁଥାଏ
ଚାଲିବାର ଅନ୍ୟନାମ" ମିତା "
ଦରକାର ନାହିଁ ଚାହିଁବା ପଛକୁ
