ମିଳେନା ଅବଶ୍ୟ
ମିଳେନା ଅବଶ୍ୟ


କବିତା - ମିଳେନା ଅବଶ୍ୟ
ରଚନା - ପଞ୍ଚାନନ ଜେନା
ତାରିଖ -୨୧-୦୨-୨୦୨୫
-
କଳ୍ପନାରେ ସୁଖ ମିଳେନା ଅବଶ୍ୟ
ମିଳେ ବିଷାଦ ଅଶେଷ
ଭାବନାରେ ଖୁସି ଦିଶେନା ଅବଶ୍ୟ
ମିଳେ କ୍ଳେଷ ଅହର୍ନିଶ
କାମନାରେ ନିଆଁ ଲାଗେନା ଅବଶ୍ୟ
ଜଳେ ବାସନାର ଶିଖା
ସଂଭୋଗର ଧୂଆଁ କାଟେନା ଅବଶ୍ୟ
ମନ ଗହନରେ ମଖା
ପ୍ରେମରେ ବିରହ ଦିଶେନା ଅବଶ୍ୟ
ଜ୍ୱଳନ ଦହନ ଶେଷେ
ହୃଦୟ କନ୍ଦରେ ପଶେନା ଅବଶ୍ୟ
ଅପାଶୋରା ସ୍ମୃତି ବାସେ
ପ୍ରେମେ ପ୍ରତାରଣା କରିଲେ ଅବଶ୍ୟ
ଘୃଣାର ସଙ୍କେତ ମିଳେ
ସ୍ନେହେ ସମର୍ପଣ ବାଣ୍ଟିଲେ ଅବଶ୍ୟ
ପାରିଜାତ ଫୁଟେ ଫଳେ
ମୁକୁଳା କବରୀ ରଖିଲେ ଅବଶ୍ୟ
ନିତମ୍ବ ଛଇଁବ ଘନକେଶ
ହୁଗୁଳା ଛାଡିଲେ ମନ ଐରାବତ
କର କଙ୍କଣେ ବସବାସ
ଅଳପ ଲାଜରେ ଲଭିବ ଅବଶ୍ୟ
ପୁଲକିତ ଆଭାପ୍ରଭା
ଆଶା ମରିଚିକା ତରିଲେ ଅବଶ୍ୟ
ମୁଠାରେ ମିଳିବ ଗଭା
କଷ୍ଟକର ରାତି କଟିଲେ ଅବଶ୍ୟ
ସୁନେଲି ସକାଳ ଦିଶେ
କୁହୁଳି କାନ୍ଦିଲେ ଲୁହ ଝରେଇଲେ
ଚାରିଗୁଣା ଦୁଃଖ ମିଶେ
ତର୍କରେ ବାକ୍ୟରେ ବୁଝିଲେ ଅବଶ୍ୟ
ଆକାଶ କୁସୁମ ଲାଗେ
ତ୍ୟାଗରେ ମାର୍ଗରେ ବିଶ୍ୱାସ କରିଲେ
ନିର୍ବାଣ ପଥ ମାଗେ
କ୍ଷଣିକ ଉଲ୍ଲାସ ମଳୟ ଅବଶ୍ୟ
ଆଖି ପିଚୁଲାକେ ନାହିଁ
କ୍ଷଣପ୍ରଭା ପ୍ରାୟ କ୍ଷଣିକେ ଝଲସି
ପ୍ରଭାମୟ କରେ ମହି
ପ୍ରେମିକ ଜୀବନ କଣ୍ଟକ ଅବଶ୍ୟ
ବାଧାବିଘ୍ନ ଘଡଘଡି
ତଥାପି ସାହସ ଜୁଟେଇ ମାତିଛି
କଳ୍ପନା ଦର୍ପଣ କାଢି
ବିଷାଦ ପ୍ରମାଦ ମିଳିବ ଅବଶ୍ୟ
ଗ୍ୟାରେଣ୍ଟି ଶହେରୁ ନବେ
ତଥାପି ହାରିନି ପ୍ରେମୀକ ପ୍ରବର
ଭାବନା ଯୁଆର ଉବେ
ତନୁ ମନ ମଥା ପାତିଲେ ଅବଶ୍ୟ
କଷ୍ଟ ଲାଘବ ବଳୟ
ମତି ଛାତି ଲୟ ନିଃସ୍କାମ ହୃଦୟ
କ୍ଷଣଲବ୍ଧ ପ୍ରେମାଳୟ