ମିଛ ଅଭିନୟ
ମିଛ ଅଭିନୟ
ମଣିଷ ଜନମ ପାଇଛେ,ସିଏତ କେତେ ପୁଣ୍ୟର ଫଳ,
ଧର୍ମକୁ ଆଦରି କର୍ମ କରିଗଲେ ଭେଟ ନହୁଅଇ କାଳ |
କାଳପୁରୁଷ ସିଏ ବଡ଼ ନିଦାରୁଣ ସଦା ସବୁ ଦେଖୁଥାଏ ,
ସମୟକୁ ଦେଖି ମାଡ଼ିବସେ ସିଏ ପରା ବେଳ ଊଂଡୁଥାଏ |
ଆସିଚେ ସଭିଏଁ ଦୁନିଆ ରଙ୍ଗମଞ୍ଚରେ ଅଭିନୟ କରିବା ପାଇଁ ,
ସେହି ଅଭିନୟ ପୂର୍ବ ନିର୍ଦ୍ଧାରିତ କରିଛନ୍ତି ଜଗତ ଗୋସାଇଁ |
ସତ୍ୟକୁ ସଙ୍ଗେ ନେଇ ସେଥିପାଇଁ କର୍ମ କରିବାକୁ ହୁଏ ,
ନାହିଁତ ପଥ ହୁଡ଼ିଗଲେ ଅଯଥାରେ କାଳ ଟାଣି ନିଏ |
ଅଧର୍ମର ସଙ୍ଗେ ରହି କ୍ଷଣିକ ସୁଖରେ ଗଲେ ଭାସି ,
ଦୁଃଖ ଯନ୍ତ୍ରଣାରେ ଘଣ୍ଟି ହୁଏ ମଣିଷ ବସି ବସି |
ନିଜ ଅଭିନୟ ଭୁଲିଯାଏ ସିଏ ତାର ଜୀବନ ନାଟକରେ ,
ନୂଆ ନୂଆ ଯେତେ ଭାବି ଯୋଡି ପଡଇ ଚିନ୍ତାରେ |
ମିଛ ଅଭିନୟ କରି ସିଏ ଭାବେ ସଭିଙ୍କୁ ମୋହିବ,
କିନ୍ତୁ ଜାଣେନାହିଁ ସିଏ ଏହା ସବୁ କାଳ ଦେଖୁଥିବ |
ଯେତେ ମିଛ ଅଭିନୟ କରିଲେ ତାହା ହୁଏନାହିଁ ଶେଷ ,
ଯୋଡିବାକୁ ହୁଏ ଆହୁରି ମିଛକୁ ହୋଇ ମାୟାର ବଶ |
ସଂସାର ଭିତରେ ରହି ସଭିଙ୍କୁ ବାନ୍ଧି ରଖିବାକୁ ହୁଏ ,
କିନ୍ତୁ ମିଛ ଅଭିନୟ ବେଳେ ବେଳେ ତାକୁ ଭାଙ୍ଗିଦିଏ |
କର୍ତ୍ତବ୍ୟର ଏଠି ମିଛ ଅଭିନୟ କରି ଢୋଂଗ କରଇ,
ଧାରା ପଡିଗଲେ ସଭିଙ୍କୁ କନ୍ଦାଏ ଦୁଃଖ ଯନ୍ତ୍ରଣା ଦେଇ |
କେବେ କେବେ ପୁଣି ଭଲପାଇବାର ମିଛ ଅଭିନୟ କରେ,
ଯାହା ପରେ ପୁଣି ଫାଟ ସୃଷ୍ଟି କରେ ହୃଦୟରେ |
ଧନ ସମ୍ପଦର ମୋହରେ ପଡି କରେ ମିଛ ଅଭିନୟ,
ମରି ମରି ବଞ୍ଚେ ସିଏ ମନରେ ଭରି ଭୟ |
ଯେବେ ଏହି ମିଛ ଅଭିନୟରେ ଅହଙ୍କାରର ମୁଖା ପିନ୍ଧେ ,
ବିନାଶର ସବୁ ବୋଝକୁ ବୋହି ଚାଲେ ନେଇ କନ୍ଧେ |
ମିଥ୍ୟା ଆଡମ୍ବର ଦେଖାଏ ସିଏ ମିଛ ଅଭିନୟ କରି ,
ରହିଥାଏ ସଦା ଦୁନିଆରେ ଖାଲି ସିଏ ସତ୍ୟକୁ ଡରି |
ବୁଝେ ନାହିଁ ସିଏ ଏହି ମିଛ ଅଭିନୟର ଅର୍ଥ ,
ମାୟାଜାଲେ ଛନ୍ଦି ହୋଇ ତାର ଜୀବନକୁ କରେ ବ୍ୟର୍ଥ |
ଯେବେ ଏହି ମିଛ ଅଭିନୟ କରି ସିଏ ଥକିଯାଏ ,
ବେଳ ଉଣ୍ଡାଳି କାଳପୁରୁଷ ତାକୁ ଆସି ପୁଣି ଟାଣିନିଏ |