ମହିଷା ନାସିରେ ଜଗନ୍ନାଥ
ମହିଷା ନାସିରେ ଜଗନ୍ନାଥ
ଚିଲିକା ବକ୍ଷେ ସୁନ୍ଦର ଅତି
ଆମର ସେହି ଗାଆଁ
ଇତିହାସକୁ ରଖିଛି ଧରି
ମହିଷା ତାର ନାଆଁ l
ବିଶ୍ୱ ଆଶ୍ରୟ ବିଶ୍ୱ ଅଭୟ
ଏଠାରେ ଆସି ଦିନେ
ଲୀଳା ରଚିଲେ ଆଶ୍ରୟ ନେଲେ
ଗହଳ ଲଟା ବନେ l
ପୁରୁଷୋତ୍ତମେ ପଡ଼ିଛି ଖୋଜା
ନୀଳ ଶଇଳ କରୀ
କୁଆଡ଼େ ଗଲେ କେଣେ ରହିଲେ
ମନ୍ଦିର ଖାଲି କରି l
କଲ୍ୟାଣ ମଲ୍ଲ ଜାତିର ଶଲ
ଶ୍ରୀକ୍ଷେତ୍ରେ ଦେଲା ଧାଡ଼ି
ଯବନେ ତହୁଁ ସମୁଦ୍ର ପ୍ରାୟ
ଆସିଲେ କାହୁଁ ମାଡ଼ି l
ମନ୍ଦିର ଭାଙ୍ଗି କରିବେ ଧୂଳି
ଦିଅଁଙ୍କୁ ଦେବେ ପୋଡ଼ି
କୋକୁଆ ଭୟେ ଭକତ ଗଣ
କାନ୍ଦନ୍ତି ମୁଣ୍ଡ କୋଡ଼ି l
ଜରାସନ୍ଧର ଭୟରେ ଦିନେ
ପ୍ରଭୁ ମଥୁରା ଛାଡ଼ି
ଦ୍ୱାପର ଈଶ ଦ୍ଵାରକାଧିଶ
ଦ୍ଵାରକା ପୁର ଗଢ଼ି l
ବନ୍ଦିଶାଳାରେ ଜନମି ପୁଣି
ପ୍ରଭୁ ପା ଗଲେ ଚାଲି
ଗୋପପୁରକୁ ନନ୍ଦ ମନ୍ଦିରେ
କଂସ ଆଖିରେ ଧୂଳି l
ଭାର୍ଗବୀ ଘାଟେ ବସିଲେ ଆଣ୍ଟେ
ଶ୍ରୀକ୍ଷେତ୍ର ଚୁଡ଼ାମଣି
ନିଅରେ ଭକ୍ତେ ଡଙ୍ଗାକୁ ମୋର
ମହିଷା ନାସି ଟାଣି l
ବନ୍ୟ ଫଳରେ ମଣୋହି କଲ
ନିର୍ଜନ ନିକାଞ୍ଚନେ
ଦଣ୍ଡକ ବନେ ତ୍ରେତୟା ଯୁଗେ
ଶବରୀ କୋଳି ଯେହ୍ନେ l
ଜଙ୍ଗଲ ମଧ୍ୟେ ଘୋଷ ଯାତରା
ସାଥୀ ଶବର ଭୀଲ୍ଲ
ଧନ୍ୟ ରେ ତୁହି କଲ୍ୟାଣ ମଲ୍ଲ
କଲୁ ତୁ କଲବଲ l
ହେ ଲୀଳାମୟ ହୁଅ ସଦୟ
ଲୀଳା ଵୁଝିବି କାହିଁ
ଯାହା ଦିଶିଲା ଏ ଚର୍ମ ନେତ୍ରେ
ଦେଲି ମୁଁ ତାହା କହି l
ହରି କୀର୍ତ୍ତନ ମହିଷା ଠାରେ
ପ୍ରଭୁଙ୍କ ଚକା ଧରି
ଆସିବେ ବୋଲି ରହିଛି ଚାହିଁ
ଜଗଜ୍ଜୀବନ ହରି l
