ହେ ଗ୍ରୀଷ୍ମ,ତୁମେ ବଡ ନିଷ୍ଠୁର
ହେ ଗ୍ରୀଷ୍ମ,ତୁମେ ବଡ ନିଷ୍ଠୁର
ସକାଳର କଅଁଳିଆ ଖରା କହେ ତୁନି ତୁନି ,
ସାବଧାନ ହୁଅ ,ମୋତେ ଆଉ ଦୋଷ ଦେବନି .
ଧୀରେ ଧୀରେ ବଢେ ସେ ତ ହୁଏ ପୁଣି ଟାଣ ,
ସଭି ଜୀବ ଜଗତକୁ ଦିଅଇ ସେ ବଡ କଷଣ .
ଦୟା ନାହିଁ ମାୟା ନାହିଁ କିଛି ତାର ପାସେ ,
ଦିନ ଦି ପ୍ରହରେ ସେ ଅଗ୍ନି ପରି ବରଷେ .
କେହି ସହି ଯାଏ ପାଇ କିଛି ଶୀତଳ ପରସ ,
କାହାର ସେ କଷ୍ଟେ ହୁଏ ପୁଣି ପରାଣ ଯେ ନାଶ .
ଲାଗେ ସତେ ସେ କି କରିଛି ଅମାନିଆ ପଣ ,
ପ୍ରତିଶୋଧ ନେବ ନେଇ କିଛି ଜୀବଙ୍କର ପ୍ରାଣ .
ଅଟେ ସେ ତ ଦାରୁଣ ,କରଇ ପ୍ରହାର ,
ହେ ଗ୍ରୀଷ୍ମ ,ତୁମେ ବଡ ନିଷ୍ଠୁର
ଶୋଷି ନିଏ ତା ପ୍ରକୋପେ ନଦୀ ନାଳ ପାଣି ,
କେମିତି ସହୁଛି ଏ ବିଧାତା କାହିଁକି କେଜାଣି .
ଜଳ ବିନା ବୃକ୍ଷ ଲତା ସବୁ ହୋଇଯାଏ ଶୁଷ୍କ ,
ପତ୍ର ଝଡି ନଣ୍ଡା ହୋଇ ଲାଗେ ସେ ସବୁ କାଠ .
ବନ ଜଙ୍ଗଲ ସବୁ ହୁଏ ମରୁଭୂମି ସମ ,
ପରିସ୍ଥିତି ଏ ଧରା ପୃଷ୍ଠେ ହୁଏ ବଡ଼ ବିଷମ .
ଜୀବ ଜନ୍ତୁ ତା କୋପ ର ହୁଅନ୍ତି ଶିକାର ,
ଶିକାରୀ ର ସବୁ ଶକ୍ତି ଲାଗଇ ବେକାର .
ଝରି ଯାଏ କିଛି ସୁବାସିତ ପୁଷ୍ପ ,ଲୁଚେ ତା ସୌନ୍ଦର୍ଯ୍ୟ ,
ତଥାପି କମେ ନାହିଁ ରୌଦ୍ର ର ଧ୍ବଂସ କାର୍ଯ୍ୟ .
ଜାରି ରଖେ ତାର ସେ ନିର୍ଦୟ ପ୍ରହାର ,
ହେ ଗ୍ରୀଷ୍ମ ,ତୁମେ ବଡ ନିଷ୍ଠୁର .......
ଚାଷୀ କାନ୍ଦେ ଦେଖି ଚାଷ ର ସର୍ବନାଶ ,
ଶସ୍ୟ ବିନା କାଟେ ଦିନ ସତେ ଲାଗେ ଉପବାସ .
ମରୁଡି ତ ଦିଏ ଥାଇ ଦିଅଇ ହୁଙ୍କାର ,
ଚାରିଦିଗୁ ଶୁଭେ ଖାଲି କରୁଣ ହାହାକାର .
ସାଗର ର ବେଳାଭୂମି ରୌଦ୍ର କରଇ ଉତ୍ତପ୍ତ ,
ମିହୀର ବି ଅଧିରେ ବହି ଯାଏ ହୋଇ ତପ୍ତ .
ରାଜରାସ୍ତା ଶୂନ୍ୟ ଲାଗେ ,ସତେ ଘୋଟିଛି କି ବେଳ ,
ଏ ତ ସାରା ଜୀବ ଜଗତ ର ହୋଇଯାଏ କାଳ .
ଲାଜ ଲାଗେ ଦେଖି ଏ ଗ୍ରୀଷ୍ମ ର ତାଣ୍ଡବ ଲୀଳା ,
ଅତି ଗର୍ବେ ଅନ୍ଧ ହୋଇ ରଚୁଛି ଏ ଖେଳା .
ଅନ୍ଧ ଅବା ଗର୍ବି ଅବା ସେ ଏକ ପଥର ,
ହେ ଗ୍ରୀଷ୍ମ ,ତୁମେ ବଡ ନିଷ୍ଠୁର ........