STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ମହାନିର୍ବାଣ

ମହାନିର୍ବାଣ

3 mins
385


ଧର୍ମଗ୍ରନ୍ଥରେ ବର୍ଣ୍ଣିତ ପୁରୁଷାର୍ଥ ଚତୁଷ୍ଟୟର ମୁହିଁ କରିଲି ପଶ୍ଚାତଧାବନ

ଅନ୍ଧଭକ୍ତି ଚିତ୍ତେ ବହି କରି ଭୀରୁ ପରି ମୋହରି ଜୀବନେ ଧରି ଦୀର୍ଘଦିନ

କର୍ମନଷ୍ଠ ହେବା ହେତୁ ଅବା ବିଧି ବାମ ହେବା ଯୋଗୁଁ ହୋଇଲି ପରାହତ

ଜୀବନ ମହାଭାରତ ଯୁଦ୍ଧେ ସର୍ବ କ୍ଷେତ୍ରେ ମୁହିଁ ବିଫଳ ଅକୃତକାର୍ଯ୍ୟ ପରାଜିତ।

ବଢୁଥିଲା ମୋ ଉପରେ ରୋଜଗାର କରିବା ପାଇଁକି ପାରିବାରିକ ଚାପ

ବୃଦ୍ଧ ପିତାମାତାଙ୍କ ଅର୍ଜନରେ ହେଉଥିଲା ଯୌବନେ ମୋହରି ପ୍ରତିପୋଷଣ

ଯେଉଁଠି ଯେବେ ବି ଯେଉଁ ଶୁଭାଶୁଭ କାର୍ଯ୍ଯେ ଦେଲି ମୁହିଁ ଆପଣାର ହାତ

ସବୁଠି ଶଠତା ବେଇମାନୀ ବିଶ୍ବାସଘାତକତା ମୋର ଓଗାଳିଲେ ବାଟ।

ଅଚାନକ ଖିଆଲି ମନରେ ଉଠିଲା ଜାଗି ନିର୍ଲୋଭ ସନ୍ନ୍ୟାସର ସଂକଳ୍ପ

ସଂସାରର ସୁଖ ସଂଭୋଗ ଭୋଗ ବିଳାସ ପ୍ରତି ହୋଇଣ ବୀତସ୍ପୃହ ବିମୁଖ

ସଜାଇଲି ଆପଣାକୁ ମୋକ୍ଷ ନିର୍ବାଣ ପଥର ନିରଳସ ଏକନିଷ୍ଠ ପଥିକ

କାମନା ରହିତ କଠୋର ସାଧନା ହୋଇଲା ମୋର ଜୀବନର ଏକମାତ୍ର ବ୍ରତ।

ଜରା ବ୍ଯାଧି ମୃତ୍ୟୁ ପରାଭବ ଭୟେ ମୁଁ ଅବିଳମ୍ବେ ତ୍ଯଜିଣ ମାୟାର ସଂସାର

ଗହନ ବନ ଭୂମିରେ ଆଚରିଲି ତପ କରିଣ ଦେହେ ଝୀନ କୌପୀନ ଧାରଣ

ତ୍ଯଜିଲି ଅନିତ୍ୟ ଲୋଭ ମୋହ ମଦ ମାତ୍ସର୍ଯ୍ଯ ତଥାପି ପାଇଲି ନାହିଁ ମୁଁ ନିସ୍ତାର

କାମିନୀ ରୂପର ଦାଉରୁ ଦେହର ଅସହ୍ୟ ଦହନ ମୋତେ ଜଳାଉଛି ପ୍ରତିକ୍ଷଣ।

ଦୁନିଆ ଆଖିରେ ମାତ୍ର ଅଟଇ ମୁଁ ଗୈରିକ ବର୍ଣ୍ଣର ବସନଧାରୀ ତନ୍ମୟ ତପସ୍ବୀ

ମୁଣ୍ଡିତ ମସ୍ତକ ଲଲାଟେ ତିଲକ ଶୃଙ୍ଗାର ଶୋଭିତ ଦୃଢ଼ ବ୍ରହ୍ମଚାରୀ ସନ୍ନ୍ୟାସୀ

ନିର୍ଜଳ ଉପବାସରେ ରହି ମୁଁ ପାଳନ କରଇ କଠୋର ବ୍ରତ ଏକାଦଶୀ

ଅନ୍ତର୍ମନ ମୋହର ଏକଇ ଜାଣେ ମୁହିଁ ରମଣୀ ରମଣାର୍ଥେ ଚିର ଅଭିଳାଷୀ।

ଲଭି ନାହିଁ ଯେଣୁ ଏଇ ମୋହରି ଜୀବନେ କେବେ ନାରୀର ଅଙ୍ଗଲତା ସ୍ପର୍ଶ

ଜାଣି ନାହିଁ ବିଶ୍ବର ଶ୍ରେଷ୍ଠ ସଂଗୋପିତ ସତ୍ଯ ଅନୁଦ୍ଘାଟିତ ରହସ୍ଯର ଅର୍ଥ

ମୁହିଁ ସଦା ଖୋଜେ ସୃଷ୍ଟିର କାରଣ ନାରୀର ଅଙ୍ଗରାଜିରେ ତନୁ ବଲ୍ଲରୀରେ

ମନ ମୋର ଯାଏ କାତରେ ଭାସି କାମିନୀ ରୂପର ଉଛୁଳା ସ୍ରୋତର ପ୍ରବାହରେ।

ଶତ ଚେଷ୍ଟା ପରେ ମଧ୍ୟ ସଂଜମ ମୋହର ହୁଏ ପରାଜିତ ଅକ୍ଲେଶରେ

ସୌମ୍ୟା ସୁଦର୍ଶନା ତରୁଣୀର ତରଙ୍ଗାୟିତ ଅଙ୍ଗ ସୌଷ୍ଠବ ପାଶରେ

କେଉଁ ଏକ ଅଜଣା ଅଜ୍ଞାତ ଚୁମ୍ବକୀୟ ସମ୍ମୋହନୀ ଶକ୍ତି କରେ ଆକର୍ଷଣ

ଚକ୍ଷୁ ଯୁଗଳ ସହ ଚିତ୍ତକୁ ମୋହରି କରଇ ମୋ' ଠାରୁ ଚତୁରେ ହରଣ।

ଲାସ୍ୟମୟୀ ଲଳନାର ରମଣୀୟ କମନୀୟ ରୂପମାଧୂରୀ ସଂଦର୍ଶନରେ

କ୍ଷୁଧା ତୃଷ୍ଣା ଗ୍ଲାନି ଜାତହୁଏ ଯୁଗପତ ହୃଦୟର ନିଭୃତ ଅନ୍ଧାରୀ କୋଣରେ

ଓଷ୍ଠ ବକ୍ଷ କଟି ନାଭି ପୃଷ୍ଠକୁ ଦୁଷ୍ଟ ନଜରରେ ମୁହିଁ କରେ ବାରମ୍ବାର ପ୍ରଦକ୍ଷଣ

ଇଛନ୍ତି ଇନ୍ଦ୍ରିୟ ସକଳ ମୋର କରିବାକୁ ତାହାର ରମଣ ଜାନ୍ତବ ଧର୍ଷଣ।

କଠୋର ତପ ଆରାଧନା କୁଚ୍ଛ୍ର ସାଧନା ମୋହର ସବୁ ପଡିଯାଏ ଫିକା

ଯେବେ ମୁଁ ଦେଖେ ରୂପସୀ ଷୋଡ଼ଶୀ ଅନୂଢ଼ା କନ୍ଯାର ମାଧୁର୍ଯ୍ୟ ଅପରୂପା

ସନ୍ତାପିତ ଚିତ୍ତ ମୋର ଗାଏ ଦେହର ଦାରୁଣ ଦହନେ ବିଳାପ ରାଗିଣୀ

ଭୁଲିଯାଏ ଚିର ଇପ୍ସିତ ପ୍ରତୀକ୍ଷିତ ନିର୍ବାଣର ପଥ ତତ୍ତ୍ବ ଉପଦେଶ ବାଣୀ।

ବିବସନା ନାରୀର ବିଜ୍ଞପିତ ମୁକୁଳା ସୌନ୍ଦର୍ଯ୍ୟର ମହୁଆ ନିଶାରେ

ସୃଷ୍ଟ ଚିତ୍ତ ଚାଞ୍ଚଲ୍ଯ ହୁଏ ବେଳକୁ ବେଳ ତୀବ୍ରତର ମନ ସାଗରରେ

ହୋଇଯାଏ ଦିଗଭ୍ରଷ୍ଟ ଧର୍ମପଥ ସନ୍ମାର୍ଗରୁ ବିଚ୍ଯୁତ ମୁହିଁ କ୍ଷଣିକରେ

ଚିନ୍ତା ଚେତନାର ସମସ୍ତ ଦ୍ବାର ରୁଦ୍ଧ ହୋଇଯାଏ କାମ ଉଦ୍ଗୀରଣରେ।

କାମିନୀ ରସିକାର ଲାଲ୍ ଟୁକୁ ଟୁକୁ ଓଷ୍ଠଧାରେ ଖେଳୁଥାଏ ବିଜୁଳି ଚମକ

ବହୁବର୍ଣ୍ଣା ପ୍ରସାଧାନ ସାମଗ୍ରୀ ପ୍ରଲେପନରେ ମୋହିତ ହୋଇଯାଏ ମୋର ନେତ୍ର

ଢଳ ଢଳ ନୀଳ ନୟନର ଖଳ ଇସାରାର ମୁହିଁ ତ ଚିରକାଳ ଭ୍ରମିତ

କିଂକର୍ତ୍ତବ୍ଯବିମୁଢ ସଂଜମତା ରହିତ ମୁହିଁ କାମୁକ ବୀଟ ଲମ୍ପଟ ପୁରୁଷ ।

କାମ ଲାଳସାର ଅଦମ୍ୟ ପିପାସା ନକରି ପାରି ମୁହିଁ ତିଳେ ସମ୍ବରଣ

ସାଜେ ସନ୍ନ୍ୟାସୀ ନାମରେ ପତିତ ସ୍ଖଳିତ ପ୍ରତାରକ ପ୍ରବଞ୍ଚକ ଭଣ୍ଡ

ଆପଣାର ବିକାର ଯୌନ ପିପାସାର କରିବାକୁ ସଦାସର୍ବଦା ନିବାରଣ

ଭ୍ରମେ ଇତସ୍ତତଃ ଖୋଜି ଚିତ୍ତ ଚାଞ୍ଚଲ୍ଯ ଦମନର ଅବ୍ଯର୍ଥ ସମାଧାନ।

ସାଧୁ ସନ୍ଥ ଗ୍ରନ୍ଥ ତୀର୍ଥ ସର୍ବେ ବଖାଣିଲେ ଯାହା ମୋତେ ପୋଥିଗତ ତତ୍ତ୍ବ

ତିଳେ ଶାନ୍ତ ହେଲା ନାହିଁ ଚିତ୍ତ ମୋର ଶୁଣି ସେହି ବୃଥା ତୁଛା ଉପଦେଶ

ସର୍ବ ପ୍ରଚେଷ୍ଟା ହୋଇଲା ବିଫଳ ଦୁର୍ବାର ମନୋରଥ ତଥାପି ଅପୂର୍ଣ୍ଣ ମୋହର

କାମନାର ଦାବାନଳେ ଦିନୁଁ ଦିନ ହେଲି ମୁହିଁ ଅଧିକ ବ୍ୟାକୁଳ ଅସ୍ଥିର ଅଧୀର।

ଦିନେ ସାୟଂକାଳେ ଭ୍ରମିଗଲି ନବ୍ଯ ନଗରବଧୂ ସଜ୍ଜିତା ତରୁଣୀର ଅନ୍ତଃପୁର

ଅନୂଢ଼ା କମନୀୟ ଯୌବନର ନିବିଡ଼ ଆଲିଙ୍ଗନେ ସାହଚର୍ଯ୍ଯେ ତା'ର

ଜୀବନର ଶ୍ରେଷ୍ଠ ସୁଖ ପରମ ଆନନ୍ଦ ସିଏ ମୋତେ କରିଲା ସହାସ୍ଯେ ଅର୍ପଣ

ସଂଗୋପିତ ସତ୍ଯ ହେଲା ଉଦଘାଟନ ମୁହିଁ ଲଭିଲି ମୋ' ଚିର ଇପ୍ସିତ ମହାନିର୍ବାଣ।

ନାରୀର ସାନିଧ୍ୟରେ ନାରୀର ସାହଚର୍ଯ୍ୟରେ ରମଣୀୟ ଉତ୍ସବମୁଖର ଜୀବନ

ଯହିଁ କାମନା ବାସନା ଲାଳସା ପିପାସା ଅପୁରିତ ଆଶା ଆକାଂକ୍ଷା ହୁଅଇ ପୂରଣ

ଦୂରୀଭୂତ ହୋଇଯାଏ ଦୁନିଆର ସବୁ ଦୁଃଖ କଷ୍ଟ ଦୈନ୍ୟ ଯାତନା କଷଣ

ରମଣୀ ରମଣରେ ପୁରୁଷାର୍ଥ ଚତୁଷ୍ଟୟ ପ୍ରାପ୍ତି ପୁନଃ ପ୍ରାପ୍ତ ହୁଏ ମହାନିର୍ବାଣ।



Rate this content
Log in

Similar oriya poem from Abstract