ମହାନ ହୁଏନି କେହି
ମହାନ ହୁଏନି କେହି
ନୀଳ ଆକାଶର ସୁନାପକ୍ଷୀ ମୁହିଁ
ଉଡିବା ଯାଇଛି ଭୁଲି
ବଣ ଫୁଲ ଫଳ ସପନ ହୋଇଛି
ଜୀବନ ଜୀଉଁଛି ଖାଲି ।
ସ୍ନେହ ବନ୍ଧନଠୁ ଦୂରରେ ଆଜି ମୁଁ
ପାଉନି ଆପଣା ସୁଖ
ବ୍ୟାଧର କବଳେ କବଳିତ ହୋଇ
ଲୋଭୁଛି କେବଳ ଦୁଃଖ ।
ଡେଣା ଝାଡ଼ି ମୁହିଁ ଉଡୁଥିଲି ସତେ
ଖୁସିରେ ବିଭୋର ହୋଇ
ମିଠା ଫଳ ଖାଇ ଗାଉଥିଲି ଗୀତ
ଦୁଃଖର ନ ଥିଲା ଛାଇ ।
ବଣ ଶୁଆଶାରୀ ଗହନ ବନରେ
ଗାଆନ୍ତି ଖୁସିରେ ସେହି
ସୁନା ପର ଝାଡ଼ି ଉଡ଼ି ବୁଲୁଥିଲି
ତାଙ୍କରି ସାଥିରେ ମୁହିଁ ।
ସୁନା ପଞ୍ଜୁରୀରେ ବିତୁଛି ଜୀବନ
ଅମାପ ଭୋଗରେ ମୋର
ତଥାପି ଜୀବନେ ପ୍ରକୃତ ଖୁସିଠୁ
ହୋଇଛି ଆଜି ମୁଁ ଦୂର ।
ଆପଣା ସ୍ବାଧୀନେ ଯେଉଁ ସୁଖ ଥାଏ
କେଉଁଠି ନଥାଏ ସେହି
ଛେନାଛତୁ ଆଣି ଢାଳି ଦେଇ ଗଲେ
ମହାନ ହୁଏନି କେହି ।