ଜୀବନର ମାନେ
ଜୀବନର ମାନେ
ଅନେକ ପଥକୁ ଚାଲିବାର ଅଛି
ଅବିରତ ଭାବେ ତୁହି
ଜୀବନ ପଥରେ ଅନେକ ଝଞ୍ଜାକୁ
ଚାଲିବୁ ଏକାକୀ ସହି।୧।
ଅବଶ୍ୟ ପାଇବୁ ସଫଳତା ଦିନେ
ଶ୍ରମର ଫଳକୁ ନେଇ
ଠକ ଭଣ୍ଡ ଯେତେ ଚାହିଁ ରହି ଥିବେ
ନୀରବେ ଥିବେଟି ସେହି।୨।
ନବ ରବି କରେ ହସିବ ଧରଣୀ
ଖୁସିର ପସରା ବୁଣି
ମନ ଜାଣି ଫଳ ଦେବ ସେ ବିଧାତା
ସତେ ଅବା ସିଏ ପୁଣି।୩।
ରହି ଯିବୁ ନାହିଁ ପଥରେ ତୋହର
କ୍ଷଣିକ ବାଧା ତୁ ପାଇ
ଜୀବନ ପଥ ଯେ କଣ୍ଟକିତ ପୂର୍ଣ୍ଣ
ଏକଥା ଜାଣିଥା ତୁହି।୪।
ଫୁଲଟିଏ ହୋଇ ଫୁଟିଲେ ଧରାରେ
ଫାଇଦା ଅନେକ ହେବ
ପ୍ରତି ପାଖୁଡାରେ ଜେବେରେ ତୋହର
ସୁବାଷ ଭରିଣ ଥିବ।୫।
ମାଛି ହୋଇ ତୁହି ମଳରେ ବସିଲେ
ଦୁନିଆ ହସିବ ତୋତେ
ତେଣୁ କରି ସିନା ମହୁମାଛି ହୋଇ
ଶୋଷିବୁ ମହୁ ତୁ ଯେତେ।୬।
ଠକ ଅଳସୁଆ କରମ କୋଢି଼ଆ
ଭବିଷ୍ୟତ ତାଙ୍କ ନାହିଁ
ପର ବୋଲହାକ କରିଣ ଜୀବନ
କଟିବ ଅନ୍ୟର ପାଇଁ।୭।
ସୁନ୍ଦର ମୁଣ୍ଡଟେ ପାଇ ଅଛୁ ତୁହି
ଦେହରେ ଅମାପ ବଳ
ତଥାପି ପଛରେ ରହି ଯିବୁ କିଆଁ
ଦେଖା ତୋ ଅସଲ ଖେଳ।୮।
ତୋ ପୂର୍ବ ପୁରୁଷ କେଡ଼େ କେଡ଼େ ବୀର
ଏକଥା ଗଲୁ କି ଭୁଲି
କୁଜଙ୍ଗ ଠାରୁ କନିଆଁ ଯାଏଁ ସେ
ଲଢୁ ଥିଲେ ପାଦେ ଚାଲି।୯।
ଦେଶ ସେବା ତାଙ୍କ ଜୀବନର ବ୍ରତ
ଭୁଲି ନିଜ ସ୍ୱାର୍ଥ ସେହି
ଘର ଘର ବୁଲି ଅନ୍ନ,ବସ୍ତ୍ର ମାଗି
ଦିଅନ୍ତି ଅନ୍ୟକୁ ନେଇ।୧୦।
ଉତ୍କଳ ମାଟିର ଲଢୁଆ ବୀର ତୁ
ରଖିବୁ ସମ୍ମାନ ଦିନେ
ଶତ୍ରୁ ବିରୁଦ୍ଧେ ଲଢ଼ିବୁ ତୁହିରେ
ଦୁନିଆ ରଖିବ ମନେ।୧୧।
ପର ଧନେ କେବେ ନ ରଖିଣ ଆଶା
ଅଳ୍ପରେ ହୋଇବୁ ଖୁସି
ସେଥିରେ ଆନନ୍ଦ ଯେତିକି ପାଇବୁ
କିଛିରେ ନ ଥିବ ବେଶି।୧୨।
