STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ପରିଚୟ ମାଗୁଛି ମୋ ମାତୃଭାଷା

ପରିଚୟ ମାଗୁଛି ମୋ ମାତୃଭାଷା

1 min
422

ସ୍ୱର୍ଣ୍ଣପ୍ରସୂ ସେଇ ସୁନାର ରାଇଜ

  ପଛକୁ ଫେରିଛି ଆଜି

ତା ବୀର ସନ୍ତାନ ଭୁଲିଛନ୍ତି ପୁଣି

  ପୂରୁବ କିରତି ରାଜି।୧।


ଭଲ ଲାଗୁ ନାହିଁ  ବାପା ମାଆ ଡାକ

  ହୋଇ ଗଲେ ମମି ଡାଡ଼ି

ଖଣ୍ଡିଆ ଇଂଗ୍ରାଜି  ଗ୍ରାସି ଗଲା ରାଜ୍ୟେ

  ମାତୃଭାଷା ଗଲା ଉଡ଼ି।୨।


ଆପଣା ରାଇଜେ  ଆପଣାର ପଣ

  ହଜିବାକୁ ବସିଲାଣି

ପିଲାଏ ଆମର   ହାତେ ଖଡ଼ି ଧରି

  ଗାରେଇବା ଭୁଲିଲେଣି।୩।


ପିଲାଟି ବେଳରୁ  ବିଦେଶୀ ଖାଦ୍ୟରେ

  ବଢ଼େଇଲୁ ତାଙ୍କ ରୁଚି

ବଡ଼ ହେଲେ କିଆଁ  ସେମାନେ ଜାଣିବେ

  ଓଡ଼ିଆଙ୍କ ଖାଦ୍ୟ ଖୁସି।୪।


କଂସା ପଖାଳରେ  ବଡ଼ି ଚୁରା ଶାଗ

 ବଢ଼ାଏ ଆମରି ମାନ

ଓଳିଏ ଖାଇଲେ  ଆର ଓଳି ଯାଏଁ

 ଭୋକରେ ନ ଥାଏ ଧ୍ୟାନ।୫।


ପକ୍କା ଘର ସବୁ  ଗାଆଁରୁ ସହର

 ନାହିଁ ଆଉ ଚାଳ ଘର

ଲିପା ପୋଛା ନାହିଁ ଛୁଞ୍ଚ ଗୋବରର

 ଟାଇଲ ଦିଶେ ସୁନ୍ଦର।୬।


କେତେ କଥା ଆଜି ପାଶୋରି ଗଲୁଣି

 ପରକୁ ଆପଣା ଭାବି

ନିଜ ସୁଖ ଶୀରି  ଚୁଲିକି ଗଲାଣି

 ଅନ୍ୟର ଖୁସିକୁ ଦେଖି।୭।


ନାହିଁ ଆଉ ସେଇ  ନିରିମଳ ଭାବ

  ଭାଇଭାଇ ଭାଇ ଚାର

ପୁରୁବ ପୁରୁଷ   ମନେ ପଡ଼ନ୍ତିନି

 ସବୁ ହୋଇଅଛି ଜୁର।୮।


କେତେ କେତେ କବି କେତେ ଯେ ଲେଖକ

  ଲେଖିଗଲେ ଆମ ପାଇଁ

ସୁବର୍ଣ୍ଣ ଓଡିଶା   ତଳେ ରହି ଯାଏ

  କେତେ କୂଟ ଚକ୍ରୀ ପାଇଁ।୯।


ସମୟ ଆସିଛି  କିଛି କରିବାର

  ଆପଣାର ଭାଷା ପାଇଁ

ଉତ୍କଳ ରାଇଜେ ନିଜ ପରିଚୟ

  ଉଦ୍ଧାର କରିବା ପାଇଁ।୧୦।


ଉଠ ଉଠ ବୀର ଓଡିଶା ମାଟିର

  ଜାଗ୍ରତ ହୁଅ ହେ ଏବେ

ଚେଇଁ ଶୋଇ ଥିଲେ ପଛରେ ରହିବ

  ଆଗକୁ ବଢିବ କେବେ।୧୧।


ସ୍ମରଣ କରିଣ  ବୀର ଗାଥା ଯେତେ

  ଆଗକୁ ବଢ଼ରେ ତୁହି

ଏ ପୂଣ୍ୟ ମାଟିରେ ଆଗକୁ ବଢିଲେ

  ଅଇରି ଭିଡ଼ିବେ ନାହିଁ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational