କା ଆଗେ କହିବି
କା ଆଗେ କହିବି
କା ଆଗେ କହିବି ମରମ ବେଦନା
କା ଆଗେ ଫେଡିବି ଦୁଃଖ
ପାର୍ଥିବ ଜଗତେ କେ ନୁହେଁ କାହାର
ମହାବାହୁ ତୁମେ ରଖ।
ତୁମେ ତ ଦେଇଛ ସକଳ ବନ୍ଧନ
ମାୟାର ଅଞ୍ଜନ ଲେପି
ଜନମ ମରଣ ଚକ୍ରେ ଘୁରାଉଛ
କାମନା ବାସନା ଛାପି।
ନିତି ମୁଁ ଡାକୁଛି ତୁମକୁ ସ୍ମରୁଛି
କର୍ମମୟ ଜୀବନରେ
ଦେହର କଷଣ ଦେହ ହିଁ ଭୋଗୁଛି
କେତେ ଦିନ କି ମାତ୍ରାରେ।
ତାହା ତୁମେ ଜାଣ ଚଲା ପଥେ ଖାଲି
ଏଇ ଅନୁଭବ ଆସେ
ଯେଉଁଠି ପାରେନି ସେଇଠି ପ୍ରଭୁ ହେ
ତୁମରି ଶରଣ ପଶେ।
କୃତକର୍ମ ଫଳ ଟେକି ମୁଁ ଦେଉଛି
ଚକ୍ର ଉହାଡରେ ରଖ
ତୁମେ ଜଗନ୍ନାଥ ତୁମେ ମହାବାହୁ
ଭକ୍ତ ଭକ୍ତିକୁ ପରଖ।