ମନ ଅଗଣା
ମନ ଅଗଣା
ମନ ଅଗଣାରେ ପ୍ରତି ମୁହୂର୍ତ୍ତରେ
ଦୋଳି ଖେଳେ ନାନା ଭାବନା
ଆଶା ନିରଶାର ଘଟି ସମାହାର
କରାଇ ଉଦବିଘ୍ନ ମନା
ଦିଏ ଚେତାଇ
ଜୀବନ ସ୍ବରୂପ ଏମିତି
ପୂର୍ଣ୍ଣ ଅପୂର୍ଣ୍ଣରେ ସୁଖରେ ଦୁଃଖରେ
ମାନବ କରୁଥାଏ ଗତି ।
ପ୍ରାଙ୍ଗଣ ସୁନ୍ଦର ହଟାଇ ଅନ୍ଧାର
ଜାଳିଲେ ଜ୍ଞାନର ପ୍ରଦୀପ
ସତ୍ୟ, ଧର୍ମ, ନ୍ୟାୟ ଦୀପାବଳିମୟ
ଜୀବନ ହୋଇଲେ ବି ଧୂପ
ହୃଦ କନ୍ଦରୁ
ତମ, ଅଭିମାନ ଦୂରେଇ
ଦିଶିବ ସୁଦିଶା ମନରେ ଭରସା
ବିଶ୍ବାସକୁ କୋଳେ ଧରାଇ ।
ସେଠାବରେ ଯେବେ ହିଂସା, ଦ୍ବେଷ ତେବେ
ଅସତ୍ୟ, ଅଧର୍ମ, ଅନ୍ୟାୟ
ଦୃଢ଼ ହୃଦୟର ଭାଙ୍ଗଇ ପ୍ରାଚୀର
ମନ ତୋଳଇ ହାୟ ହାୟ
ଚିତ୍ତ ଅଶାନ୍ତେ
ପରିବେଶ ହରାଇ ଶାନ୍ତି
ଭ୍ରମରେ ଭ୍ରମିତ ସମ୍ପର୍କରେ କ୍ଷତ
ଅଧୋଗତିକୁ ଧାଏଁ ମତି ।
ସ୍ବଚ୍ଛ ବାତାୟନ ମୃଦୁ ଗୁଞ୍ଜରଣ
ଛୁଏଁ ଯେବେ ମନ ଅଗଣା
ପ୍ରାଣ ଉଲ୍ଲସିତ ମନ ପ୍ରଫୁଲ୍ଲିତ
ଶୁଭଇ ପାବନ ମୂର୍ଚ୍ଛନା
ସେହି ସ୍ଥାନରେ
ବିମୁଗ୍ଧ ବି ଆନ ଅନ୍ତର
ଶାନ୍ତି ମୈତ୍ରୀ ପ୍ରିତି ପ୍ରଶାନ୍ତିର ଗୀତି
ଗାଇ ତୋଳନ୍ତି ଖୁସିଘର ।
