ବିଦଗ୍ଧ ଗ୍ରୀଷ୍ମ
ବିଦଗ୍ଧ ଗ୍ରୀଷ୍ମ
ଗ୍ରୀଷମ ପ୍ରକୋପ ମନଟି ବିଳାପ
ମଉଳଇ ହସ ଫୁଲ
ସତେ କି ଜୀବନ ଜୀଅନ୍ତା ଜୁଇରେ
ହେଉଥାଇ କଲବଲ !
ଟାଇଁଟାଇଁ ଖରା ହସେ ସିନା ଧରା
କାନ୍ଦଇ ଧରଣୀ ବୁକୁ
କିପରି ଯେ ଶାନ୍ତ ହୋଇବ ହୃଦୟ
କଷ୍ଟ ହୋଇଲେ ଦେହକୁ ।
ପଳାଶ, ଶିମିଳି, କୃଷ୍ଣଚୂଡା, ମଲ୍ଲୀ
ରଙ୍ଗର ପସରା ମେଲି
ସୁଷମା ସମ୍ଭାରେ କୋଳକୁ ଭରିଲେ
ହସିବ କି ଖିଲିଖିଲି ?
ଶୁଖିଯାଏ ଜଳ ଉତ୍ସଗୁଡିକରୁ
ଜୀବେ ମନେ ହା-ହା-କାର
ଏଠି ସେଠି ଖୋଜେ ତୃଷିତ ପ୍ରାଣରେ
ହୋଇ କେତେ ଯେ ଆତୁର ।
ବୃକ୍ଷଲତା ଆଦି ଝାଉଁଳି ପଡ଼ନ୍ତି
ଲିଭେ ପିକର ମୂର୍ଚ୍ଛନା
ଝାଞ୍ଜି ପବନରେ ଶ୍ବାସ ରୁନ୍ଧି ହୁଏ
ମାନବ ଲଭେ ଯନ୍ତ୍ରଣା ।
ବନାଗ୍ନିରେ ନାଶ ନିରୀହ ଜୀବନ
ଘୂର୍ଣ୍ଣିଝଡ଼ ସ୍ଥାନେ ସ୍ଥାନେ
ରଚଇ ତାଣ୍ଡବ ନାନାଦି ବିଭବ
ଧୂଳିସାତ ତତକ୍ଷଣେ ।
ନର ପଶୁପକ୍ଷୀ କୀଟ ତରୁଲତା
ସ୍ଥାବରଜଙ୍ଗମ ଆଦି
ହୁଅନ୍ତି ଅଥୟ ନିଦାଘ ପରଶେ
ନର ହୃଦେ ଜାଗେ ଭୀତି ।
କେତେବେଳେ କାହା ଜୀବନ ହଜିବ
ଅଂଶୁଘାତ ପରଶରେ
ଅବଲମ୍ବନ ବି ଯେତେ ସତର୍କତା
କାଳକଟେ ବିବଶରେ ।
ଜଳଛତ୍ର, ଲେମ୍ବୁ, ଦଧି ସରବତ
ଭରଇ ଶାନ୍ତି ତୃପତି
ଗ୍ରୀଷମ ଡାକଇ ବରଷା ଋତୁକୁ
ହରଷ ହୁଅଇ କ୍ଷିତି ।
ବିଥଗ୍ଧ ଗ୍ରୀଷମ ଆସି ଯାଉଥିବ
କରି ଋତୁଚକ୍ରେ ଗତି
ସୁଖଦୁଃଖ ସମ ତାକୁ ତୋଳୁଥିବ
ସ୍ବଭାବେ ମାନବ ମତି ।
