ଆଶ୍ରମେ ପ୍ରଭାତ
ଆଶ୍ରମେ ପ୍ରଭାତ
ପାହିଲା ଅନ୍ଧାର ରଜନୀ
ଡାକେ ଆଶ୍ରମ ଶାରୀ l
ହରେ ରାମ କୃଷ୍ଣ ଗୋବିନ୍ଦ
ନାରାୟଣ ଶ୍ରୀହରି ll
ସିନ୍ଦୂରା ଫାଟିଲା ପୂରୁବ
ନଭେ ଭାନୁ ଉଦିତ l
ଭାନୁ କୁଳବଧୁ ବୈଦେହୀ
ଉଠ ନକରି ମଠ ll
ପ୍ରସ୍ଫୁଟିତ ମୁନି ଉଦ୍ୟାନେ
କେତେ ଜାତି ସୁମନ l
ସଖୀମାନେ ଆସି ଡାକନ୍ତି
ଯିବ କରି ଚୟନ ll
କୋଳ କରିବାକୁ ତମସା
ରହି ଅଛି ଅନାଇ l
ଶୁଭ ସମ୍ପାଦିନୀ ଯାଅଗୋ
ଶୁଭେ ସଖୀଙ୍କୁ ନେଇ ll
ଥିରି ଥିରି ପଥ ଚାଲିବୁ
ମାଆ ଉଦର ଭାର l
ଉଦୟ ହେବାକୁ ଉଦରେ
ତୋର ଭାନୁ କୁମର ll
ଉଚ୍ଚ ସ୍ଵରେ ବଂଶ ବନରେ
ଡାକେ ଶୁଭ ଶଙ୍ଖୁଆ l
ଖଞ୍ଜନ କୁକ୍କୁଟ କୁମ୍ଭାଟ
ପିକ ଡାମରା କୁଆ ll
ସତୀ ଶିରୋମଣି ଉଠନ୍ତି
ବନ୍ଦି ରାମ ଚରଣ l
ଅଭାଗିନୀ ଗତି ମୁକ୍ତି ହେ
ପ୍ରଭୁ ଶ୍ରୀରଘୁରାଣ ll
ଶୁଭ ଲଗନରେ ତମସା
ନୀରେ ସ୍ନାହାନ ସାରି l
ତପନଙ୍କୁ ବନ୍ଦି ଫେରନ୍ତି
ତପନ କୁଳ ନାରୀ ll
ଆଶ୍ରମେ ଶ୍ରୀରାମ ଶ୍ରୀସୀତା
ମୁନି କୁମାର ଗଣ l
ବାଲମିକୀ ମହାମୁନିଙ୍କ
ଧ୍ୱନି ଶ୍ରୀରାମାୟଣ ll
