STORYMIRROR

Bibhutibhusan Majhi

Inspirational

3  

Bibhutibhusan Majhi

Inspirational

ପ୍ରତୀକ୍ଷା

ପ୍ରତୀକ୍ଷା

1 min
127

ଜୀବନ ସକାଳ ବିତେ ଖରାବେଳ

   ନପୁରେ ମନ ମିଆଦ

ନୟନର ପାଣି  ଚାହିଁ ଶୁଖେ ପୁଣି

   ଅନ୍ତରେ ଭରେ ଦରଦ ।୧।

 

ଖୋଜୁଥିଲି କେବେ ଆସି ଯାଅ ଏବେ

   ଖେଳିଥାନ୍ତେ ବାଟି ଖେଳ

ସମସ୍ତେ ଜାଣନ୍ତି  ବାଡି ପୁଆକାଠି

   ଖେଳନ୍ତି ହୋଇଣ ମେଳ ।୨।

 

ଦୂରୁ ଦୂରୁ ଧାଇଁ  ବାଡି ଡିଆଁ ଡେଇଁ

   ଖେଳିଥାନ୍ତେ ମଝି ଦାଣ୍ଡେ

ଖପରା ଡିଆଁଟି  ଖେଳିଥାନ୍ତେ ଲୁଚି

  ବର ମୂଳେ ଗାଆଁ ମୁଣ୍ଡେ ।୩।

 

ଆସିଲନି କାହିଁ  ସରମ କିମ୍ପାଇଁ

   ଚାହିଁ ଚାହିଁ ଗଲା ଦିନ

ପୁଣି ଆଶା ଭରେ ସ୍କୁଲ ରାସ୍ତାରେ

  ଏକାନ୍ତେ ହେବ ମିଳନ ।୪।


ଗୁରୁଙ୍କ ତାଡନା କେତେ ଅନାବନା

   କହିଥାନ୍ତି ସହଜନ

କରିଥାନ୍ତି ଅଳି  ଦେଇଥାନ୍ତି ଗାଳି

  ତୁମ ଆଗେ ଖୋଲି ମନ ।୫।


 ଆସିଲା ହତାଶା  ଇଏ କି ଦୁର୍ଦ୍ଦଶା

   ଭୁଲିଲି ତୁମକୁ ଏବେ

ଓଠ ହସ ତଳେ ଯୌବନ କବଳେ

  ବନ୍ଧନେ ବୁଡିଲି ଭବେ ।୬।

 

ମମତାର କାନି  ମନନିଏ କିଣି

  ତୁମେ କାହିଁ ପଡ ମନେ

କର୍ତ୍ତବ୍ୟ କରମ  ବିଷୟ ଭରମ

  ନିମଜ୍ଜି ମାୟା ସଦନେ ।୭।


ପରିଣତ ବୟ   ବିରତି ସମୟ

   କରମ ମୋଡିଲା ମଙ୍ଗ

କାନେ କାନେ ପୁଣି ଭରେ କିଏ ଆଣି

  କେଣେ ଗଲା ସେହି ସାଙ୍ଗ ।୮।


ଅତୃପତ ମନ   ପିପାସୁ ନୟନ

   ଅପ୍ରାପତ ସଖା ପାଇଁ

ପ୍ରଭାତୁ ସଅଳେ  ଅଝଟ ଖିଆଲେ

   ଅଗଣାକୁ ଯାଏ ଧାଇଁ ।୯।

 

ସେବତୀ ମନ୍ଦାର  ସଜ ମଲ୍ଲି ହାର

   ତୁଳସୀ ଚନ୍ଦନ ଆଣି

ନିତି ସଜାଉଛି  ପ୍ରତୀକ୍ଷାରେ ଅଛି

   ପଡିବ ବାଙ୍କଚାହାଣୀ ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational