STORYMIRROR

Kulamani Sarangi

Classics

3  

Kulamani Sarangi

Classics

ମହାଳୟା

ମହାଳୟା

1 min
272


ଆହା କି ସୁନ୍ଦର ! ସଂସ୍କୃତି ଆମର,

ସାରା ଦେଶେ, ପ୍ରତି ଘରେ,

ପିତୃଙ୍କୁ ସମ୍ମାନ ପାଇଁ ପିଣ୍ଡଦାନ

ହୁଏ ଆଜ ଦିବସରେ।


ହିନ୍ଦୁ ଜାତି ମତ, ହେଲେ ଦିବଙ୍ଗତ

ଆତ୍ମା ଯାଏ ସ୍ୱର୍ଗସ୍ଥାନ,

ବରଷକେ ଥରେ, ସେଏହି ପକ୍ଷରେ

କରିଥାଏ ଆଗମନ।


ପିଣ୍ଡ-ପାଣି ପାନ୍ତି, ଆନନ୍ଦେ ଭ୍ରମନ୍ତି

ଏକମାସ ଏ ଧରାରେ,

ଦୀପାବଳି ଦିନ କରନ୍ତି ପ୍ରସ୍ଥାନ 

ପିତୃଗଣ ଆଲୋକରେ।


ସେହିଦିନ ପରା ଦିହୁଡି ଜଳାଇ 

କହୁଁ "ହେ ବଡବଡିଏ ! 

ଆସି ଅନ୍ଧାରରେ, ଆଲୋକ ପଥରେ

ପ୍ରସ୍ଥାନ କର ସଭିଏଁ"।


ଅଟେ ଏ ଆମ୍ଭର ସଂସ୍କୃତି ମାତର 

ସତରେ କି ଆସେ କେହି !

ପୂର୍ବଜମାନଙ୍କୁ ମନେ ରଖିବାକୁ

ପ୍ରାବଧାନ ସିନା ଏହି।


ଅଜା-ଆଈ ପୁଣି ଜେଜେ-ଜେଜୀଙ୍କର

କେତେ ଯେ ଅଭୁଲା ସ୍ମୃତି,

ଏ ପନ୍ଦର ଦିନ ପ୍ରତି ମୁହୁର୍ତ୍ତରେ 

ଆସି ମନେ ପଡୁଥାନ୍ତି ।


ସେଥିପାଇଁ ପରା ଏ ପନ୍ଦର ଦିନ 

ନାମଟି ଅପର-ପକ୍ଷ,

ପିତୃପୁରୁଷଙ୍କ ଦାନକୁ ସ୍ମରଣ

କରିବା ହିନ୍ଦୁର ଲକ୍ଷ୍ୟ।


ପିତୃଗଣ ସଙ୍ଗେ ଦେବତା ମହର୍ଷି 

ପାଇଥାନ୍ତି ପିଣ୍ଡ- ପାଣି,

ହିନ୍ଦୁ ସମାଜର ମହାନ ସଂସ୍କାର

ମଧ୍ୟରେ ଏହାକୁ ଗଣି।


ଅଛିଟି କଥିତ କର୍ଣ୍ଣ ବଳବନ୍ତ 

ହେଲେ ଯେବେ ସ୍ୱର୍ଗଗାମୀ,

ସ୍ୱର୍ଗରେ ତାହାଙ୍କୁ ଦେଲେ ଭୁଂଜିବାକୁ

ହୀରା,ଲୀଳା ମୋତି ମଣି।


ସମସ୍ତ ଅତିଥି ଅଭ୍ୟାଗତେ କର୍ଣ୍ଣ 

ଦେଇଥିଲେ ସ୍ୱର୍ଣ୍ଣ ଦାନ,

ପିତୃ ପୁରୁଷଙ୍କୁ କରି ତ ନଥିଲେ 

ମର୍ତ୍ତେ ପିଣ୍ଡ ଅରପଣ।


ହୀରା,ଲୀଳା ମୋତି କର୍ଣ୍ଣ ମହାମତି

ଭୁଂଜିବେ ଅବା କିପରି,

ସୂର୍ଯ୍ୟଙ୍କ କୁମର ହୋଇ କ୍ଷୁଧାତୁର

ଇନ୍ଦ୍ରଙ୍କୁ କଲେ ଗୁହାରି ।


ବାସବ ବୋଲନ୍ତି କର୍ଣ୍ଣମହାମତି

ଯାଅ ମରତ ଭୁବନ, 

ପଣ୍ଡୁଙ୍କ ସହିତେ କୁରୁ ଦିବଙ୍ଗତେ

କର ପିଣ୍ଡ ପାଣି ଦାନ।


ପଂଚଦଶ ଦିନ ମହାବୀର କର୍ଣ୍ଣ

ଆସି ମର୍ତ୍ତ୍ୟମଣ୍ଡଳରେ,

ପିତୃକର୍ମସାରି ଫେରିଯାଇଥିଲେ

ପୁଣି ଥରେ ସ୍ୱର୍ଗପୁରେ।


ସେହିଦିନଠାରୁ ସେ ପନ୍ଦର ଦିନ

ହୋଇଲା ଅପର ପକ୍ଷ,

ପିତୃ ପୁରୁଷଙ୍କୁ ପିଣ୍ଡପାଣି ଦାନ

ଅଟେ ଏ ପକ୍ଷର ଲକ୍ଷ୍ୟ।


କାହାଣୀ ଯାହେଉ, ଅବିଶ୍ୱାସ ଆଉ

ମନରେ ନ ଧରି ସର୍ବେ,

ଏ ହିନ୍ଦୁ ଜାତିର ସଂସ୍କୃତିକୁ ଆସ

ସମ୍ମାନ କରିବା ଗର୍ବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics