ମହାଳୟା
ମହାଳୟା
ସଂସାରରେ ଜନ୍ମରୁ ମୃତ୍ୟୁ ଯାଏଁ
ମାନବ ଭୋଗ କରେ ପାର୍ଥିବ ଜୀବନ
ମୃତ୍ୟୁ ପରେ ସୂକ୍ଷ୍ମ ଶରୀରର ଆତ୍ମାରେ
ବୈକୁଣ୍ଠପୁରେ କରିଥାଏ ଅବସ୍ଥାନ
କର୍ମ ଅନୁଯାୟୀ ଲଭିଥାଏ ସ୍ବର୍ଗ ନର୍କ
ପିତୃପୁରୁଷଙ୍କ ଅଂଶରୁ ଜାତ ସନ୍ତାନ ସନ୍ତତିଗଣ
ତାଙ୍କରି ଆତ୍ମାର ସଦଗତି ପାଇଁ କରନ୍ତି ପିଣ୍ଡଦାନ
ଶ୍ରଦ୍ଧା ତର୍ପଣ ଅଟଇ ଶାସ୍ତ୍ରୀୟ ମହତ କର୍ମ
ଓଡି଼ଆ ଜାତିର ସଂସ୍କୃତି ପରମ୍ପରା ନେଇ
ବରଷକୁ ଥରେ ପାଳନ୍ତି ବଂଶଜ ଏ ଧର୍ମ
ଆଶ୍ବିନ ମାସର ଅମାବାସ୍ୟା ଦିନଟି
ମହାଳୟା ଶ୍ରାଦ୍ଧ ଭାବରେ ହୋଇଛି ଖ୍ୟାତ
" ମହତାଂ ଆଳୟଃ ମହାଳୟଃ "
ମହାନ ପୁରୁଷଙ୍କ ଆଳୟ ମହାଳୟ ତତ୍ତ୍ଵ
ସେ ପୂର୍ବଜ ପୁରୁଷଙ୍କୁ ଆବାହନ କରି
ଦାନ ପୁଣ୍ୟ କାର୍ଯ୍ୟ କରିବାର ବିଧି ବିଧାନ
ଦିବସଟି ହେଉଛି ପବିତ୍ର ମହାଳୟା ଶ୍ରାଦ୍ଧ
ସୂକ୍ଷ୍ମଆତ୍ମା ରୂପରେ ମର୍ତ୍ତ୍ୟକୁ ଓହ୍ଲାଇ ଆସି
ଶ୍ରଦ୍ଧାର ଦାନ ଶ୍ରାଦ୍ଧ କରିଥାନ୍ତି ଗ୍ରହଣ
ଏ ପୁଣ୍ୟ କାର୍ଯ୍ୟେ ସନ୍ତାନଗଣ ପା'ନ୍ତି ସାହା
ପିତୃପୁରୁଷଙ୍କଠାରୁ ଲଭି ଅଶେଷ ଆଶୀର୍ବାଦ
ଦୂରେ ଦେଇଥାନ୍ତି ଆଧିଦୈବିକ ବିପଦ
ମହାଳୟା ଶ୍ରାଦ୍ଧର ତର୍ପଣରେ ରହି ସ୍ଥିର
କୋଡିଏ ଦେବଗଣଙ୍କୁ ଗୋଟିଏ ଥର
ସପ୍ତ ଋଷିଙ୍କୁ ଦୁଇ ଥର କରାଯାଏ ତର୍ପଣ
ପିତୃପୁରୁଷଗଣଙ୍କୁ ତ୍ରିବାର କରିଥାନ୍ତି ଅର୍ପଣ
ପବିତ୍ର ନିର୍ମଳ ମନେ ହୁଅନ୍ତି ଆପ୍ୟାୟିତ
ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପରେ
ପିତାମହଙ୍କୁ ବସୁ ପ୍ରପିତାମହଙ୍କୁ ଆତିଦ୍ୟ
ରୂପେ କରାଯାଇ ଥାଏ ମନରେ କଳ୍ପିତ
ପିଣ୍ଡଦାତାଙ୍କ ଆଳୟେ ସର୍ବ ଦେବଗଣ
ସଙ୍ଗେ ଋଷି ,ପିତୃପୁରୁଷ ହୁଅନ୍ତି ଉପସ୍ଥିତ
କର୍ମକର୍ତ୍ତାଙ୍କୁ ବରଦାନେ ଦେଖାଇ ଥା'ନ୍ତି ଦୟା
ସେ ହେତୁ ଦିବସଟି ଶ୍ରାଦ୍ଧର ଅଟେ ମହାଳୟା।
