STORYMIRROR

Mishra Manasi

Inspirational

3  

Mishra Manasi

Inspirational

ମହା ସଂଗ୍ରାମ

ମହା ସଂଗ୍ରାମ

1 min
240


ଜଗତ କରତା ସେ ବିଶ୍ୱ ନିୟନ୍ତା

ଜଗତ ଯେବେ ସୃଜିଲେ

ପରାଣସହିତେ ରୋଗ,ଦୁଃଖ ,କ୍ଳେଶ

ଯାତନା କୁ ଖଞ୍ଜିଦେଲେ ।୧।

ଉଦର ଜ୍ୱାଳାକୁଭରିଲେ ସକଳେ

କୀଟ ଠାରୁ ମହାଦ୍ରୁମ

ଜୀବନ ଜିଇଁବା ପାଇଁ ଅହରହ

ଚାଲିଛି ମହାସଂଗ୍ରାମ ।୨ ।

ସବୁ ସୁଖ ଶୀରି ଭୋଗେ କେ ଐଶୂର୍ଯ୍ୟ

ମଖମଲି ଶେଯେ ଶୋଇ

 ପ୍ରାଚୁର୍ଯ୍ୟ ସଉଧ ନିତି ଗଢୁଥାଇ

ଗରିବ ରକତ ପିଇ ।୩।

ଖୋଲା ଅନ୍ତରୀକ୍ଷ ଅବା ବୃକ୍ଷମୂଳେ 


ପେଟେ ଦେଇ ଓଦାକନା

ବେସାହାରା ଯାଯାବର ମଣିଷଟି

ବଞ୍ଚୁଅଛି ବାସ ବିନା ।୪।

କିଏ ଏଠି ବସେ ରାଜେନ୍ଦ୍ର ଆସନେ

କେ ଦିଶେ ଫକୀର ବେଶେ

ପେଟପାଇଁ ନାଟପ୍ରତିଦିନଚାଲେ

ରକତରେ ବାଡ଼ ବସେ ।୫।

ଦଳିତ ଦୁର୍ବଳ ମଥାରେ ସବଳ

ଥାପେ ମେରୁପାଦ ନିତି

ମହାଦ୍ରୁମ ତଳେ ମରି ମରି ବଞ୍ଚେ

ଦୂବଦାରୁଟି ଯେମିତି ।୬।

ଜନକ ଜନନୀ ସୋଦର ସନ୍ତାନେ

ଅହରହ ଏଠି ଯୁଦ୍ଧ

 ସ୍ନେହ,ପ୍ରେମ ,ଶ୍ରଦ୍ଧା କରୁଣା,ଭକତି ସ୍ୱାର୍ଥ ଫାଶେ କଣ୍ଠରୁଦ୍ଧ ।୭।

ଅନ୍ଧ ଅହମିକା ଗରବେ ଶାସକ

ରକତରେ ହୋଲି ଖେଳେ

ଶାସିତ ମସ୍ତକ ଲୋଟାଏ ମାଟିରେ

କ୍ଷମତାର କରବାଳେ ।୮।


ପରିବାର,ଗ୍ରାମ ,ରାଜ୍ୟ ଦେଶେଦେଶେ

ପୁରିଛି ହିଂସା ଦୁର୍ନୀତି

ସ୍ୱାର୍ଥ ଜୂପେ ବଳି ନିରୀହ ଜନତା

 କୁହୁଳି ଯୁଦ୍ଧ ଅଶାନ୍ତି ।୯।

ଜୀବନ ଯୁଦ୍ଧରେ ଅହରହ ଯୁଝି

 ବିଜ୍ଞ ଜନ ହଜିଯାଏ

ମୂର୍ଖ ପିନ୍ଧିହୀରା ପଦବୀ ମୁକୁଟ

ସମ୍ରାଟ ବୋଲାଉ ଥାଏ ।୧୦।

ବିଚିତ୍ର ଏ ସୃଷ୍ଟି ବିଚିତ୍ର ସ୍ରଷ୍ଟାଙ୍କ

ଦିଶେ ସବୁ ଝକଝକ

ଭଦ୍ରମୁଖା ତଳେ ଗରଳ ଲୁଚିଛି

ବିଷ କୁମ୍ଭ ପୟୋମୁଖ ।୧୧।

ନାହିଁ ଭାତୃଭାଵ ପ୍ରୀତି ସଦ୍ ଭାବ

ବିଶ୍ୱାସ ବିଦ୍ରୁପ କରେ

ଦିବ୍ୟ ଚେତନାରୁ ଦୂରେଇ ମଣିଷ

ନିଜ ଗାତ ନିଜେ ଖୋଳେ । ୧୨ ।


Rate this content
Log in

Similar oriya poem from Inspirational