ମହା ମିଳନର ସ୍ଥଳ
ମହା ମିଳନର ସ୍ଥଳ
ସାଗର ବୁକୁରେ ନୀଳ ଢେଉ ନିତି
ମଥା ପିଟେ କୂଳ ଛୁଇଁ
କହନ୍ତି ଯାହାକୁ ଅତି ସରାଗରେ
ପ୍ରିୟତମା ବେଳାଭୂଇଁ l
ନିତି ପ୍ରତି କେତେ ସୁଉଚ୍ଚ ତରଙ୍ଗ
ସଶବ୍ଦରେ ଆସେ ମାଡ଼ି
କୂଳ ଲଙ୍ଘି ତା'ର ପ୍ରୀତିର ପରଶେ
ଚିହ୍ନ ଯାଏ ଦର୍ପେ ଛାଡ଼ି l
କେବେ ସାମୁଦ୍ରିକ ଜୀବବି ଢେଉରେ
ମୃତ ଅବା ଜୀବନ୍ତରେ
ଚାଲି ଆସିଥାନ୍ତି ବେଳାଭୂଇଁ ପରେ
କ୍ଷିପ୍ରତାର ତାଡ଼ନାରେ l
ନୀଳ ନିର୍ଜନରେ ନିମ୍ନଗା ହରଷେ
ସାଗର ବୁକୁରେ ମିଶି
ସାର୍ଥକତା ଲଭେ ସଂସାରେ ସରିତ
ବିମୁଗ୍ଧ ପରାଣେ ହସି l
ବେଳାଭୂଇଁ ସେଠି ନିରବେ ଚାହିଁଛି
ମୂକ ସାକ୍ଷୀଟିଏ ହୋଇ
ବକ୍ଷରେ ତା' ନିତି କେତେ ପଦ ଚିହ୍ନ
ହଜିଛି ମଳୟ ଛୁଇଁ l
ନିତି ପ୍ରତି କେତେ ଦର୍ଶକ ଆସନ୍ତି
ସ୍ବର୍ଗୀୟ ସୁଷମା ଦେଖି
କିଛିବି ସହାସ୍ୟେ ମହୋଦଧି ସ୍ନାନ
କରନ୍ତି ସାହସ ରଖି l
କେବେ ସାଗରର ଶାନ୍ତ ପଣିଆ
ହୃଦୟକୁ ନିଏ ଟାଣି
କେବେପୁଣି ତାର ମହାରୁଦ୍ର ରୂପ
ବିଶ୍ୱାସକୁ ଦିଏ ହାଣି l
ବିପଣୀ ମାଳାରେ ଝଲସୁଛି ଆଜି
ମହୋଦଧି ବେଳାଭୂଇଁ
ରଙ୍ଗ ବେରଙ୍ଗର ଚାରୁ ଚିତ୍ରପଟ
ହୃଦୟକୁ ଯାଏ ଛୁଇଁ l
ଖାଦ୍ୟ ପାନୀୟର ମଜା ନେଇ କିଛି
ଓଟ, ଗଧ ପରେ ବସି
ସାର୍ଥକ କରନ୍ତି ବେଳାଭୂମି ତ୍ୟାଗ
ସନ୍ତର୍ପଣେ ମିଳିମିଶି l
ସାଙ୍ଗସାଥୀ ମେଳେ ଆସନ୍ତି ଅନେକ
ସାଗର ସୁଷମା ଦେଖି
ଅଥଳ ଜଳରେ ଦୂର ଦିଗ୍ ବଳୟ
ନୟନରେ ଯାଏ ଲାଖି l
ବେଳାଭୂମି ବିନା ସାଗର ଅଧୁରା
ମହାମିଳନର ସ୍ଥଳ
କେବେ ରୋମାଞ୍ଚିତ କେବେ ବା ବ୍ୟଥିତ
ମହାଶୂନ୍ୟ ତା'ର କୋଳ l
କେବେବି ଜୀବନେ ହୃଦୟ ବେଳାରେ
ଖୁସି ଆଣେ ଏ ସୁଷମା
କେବେ ବିଛେଦର ସାଉଁଟା ସ୍ମୃତିରେ
ବିଦାରିତ ହୁଏ ଆତ୍ମା l