ମହା ଜାଗତିକ ପ୍ରୀତି
ମହା ଜାଗତିକ ପ୍ରୀତି
ବିମୁଗ୍ଧ ପରାଣ ମଧୁ ଗୀତିକାରେ
ବିଭୋରିତ ଆତ୍ମା ପକ୍ଷୀ
କେମିତି କେଜାଣି ଭିନ୍ନ ଅନୁଭବ
ପ୍ରଭୁ ତୁମେ ଏକା ସାକ୍ଷୀ l
ତୁମେ ଅଛ ବୋଲି ଦୁନିଆଟା ଖାଲି
ଭାବମୟ ଲାଗେ ମୋତେ
ତୁମ ଛବି ଦେଖି ସୁଷମା ନିରେଖି
ବିମୋହିତ ହୁଏ ସତେ l
ତୁମ ହାତ ଗଢ଼ା ଏ ବିଶ୍ୱ ପସରା
ମହା ଜାଗତିକ ପ୍ରୀତି
କି ସୁନ୍ଦର ଶୋଭା ଲକ୍ଷେ ବର୍ଣ୍ଣ ବିଭା
ଦେଖୁ ଏ ଧରାରେ ନିତି l
ପାଦପେ ଭରିଛ ମିଠାମିଠା ଫଳ
ସବୁଜିମା ଶୋଭା ରାଜି
କଅଁଳ ପଲ୍ଲବେ ପୁଲକ ଖେଳାଇ
କୁସୁମ ଦେଇଛ ସୃଜି l
ସୁଗନ୍ଧ ଦେଇଛ ମଧୁର ମଳୟେ
ମଧୁ ମକ୍ଷିକାର ଗୀତ
ମଧୁକର କଣ୍ଠେ ମଧୁର ଗୁଞ୍ଜନ
ପ୍ରକୃତି ଗାଏ ସଙ୍ଗୀତ l
ସାଗର ବକ୍ଷରେ ସୁଉଚ୍ଚ ତରଙ୍ଗ
ନଦୀ ନିର୍ଝରିଣୀ ସଙ୍ଗ
ନିର୍ଜନ ବେଳାରେ ନୀଳ ନୀଳ ସ୍ମୃତି
କେବେ ହୁଏ ସ୍ବପ୍ନ ଭଙ୍ଗ l
କଳ୍ପନାର କଳା ଲିଭି ଲିଭି ଆସେ
ତୁମ ଅନୁଭବ ପାଶେ
ତୁମେ ଅଛ ବୋଲି ମୋ ହୃଦ ମନ୍ଦିରେ
ଲୁଚି ଲୁଚି ମୁହିଁ ହସେ l
