STORYMIRROR

Sambit Srikumar

Romance Inspirational

3  

Sambit Srikumar

Romance Inspirational

ମେଘଦୂତ

ମେଘଦୂତ

1 min
181


ଟିପ୍ ଟିପ୍ ବର୍ଷା ପଡେ

ଗଛର ସରୁ ସରୁ ପତର ଉପରେ

ଝର୍ ଝର୍ ହୋଇ ଝରିପଡେ

ମାଟିର ଉତ୍ତପ୍ତ ବକ୍ଷରେ।

ଅନୁଭବେ ମୁହିଁ ଭିଜାମାଟିର ଗନ୍ଧ

ପ୍ରେମ ସ୍ନିଗ୍ଧ ପବନର ଶୀତଳତା 

ସଦ୍ୟ ପ୍ରସ୍ଫୁଟିତ ରଙ୍ଗଣୀର ରଙ୍ଗ

ପ୍ରଜାପତିର ଚିତ୍ରିତ ରୂପକଳ୍ପ।

ଝିରି ଝିରି ଝାଉଁ ବଣେ

ମାଦଲର ତାଳେ ତାଳେ 

ମତୁଆଲା ନୃତ୍ୟ ରଚେ ବାଦଲ

ସଖୀ ପାଇଁ ଶିଖୀ ମନ ହୁଏ

ବିଚଳିତ ଆନ୍ଦୋଳିତ

ଖୋଜି ବସେ ସେ ତା'ର 

ଅକୁହା ଅତୀତ।

ବାତାୟାନ ପାଶେ ବସି ମୁହିଁ

ଦେଖେ ସବୁ ମହା ଆନନ୍ଦରେ

ବର୍ଷା ଛିଟିକାରେ ଇତସ୍ତତଃ ହୋଇ

ଚିନ୍ତା କରେ ସତେ ଅବା ଦୂତ ରୂପୀ

ମେଘ ସେଇ ବର୍ଷିଯାଏ 

ମୋ ଗବାକ୍ଷ ସମୀପେ

କାନେ କାନେ କହିଯାଏ

କାହାର ଆତୁର ସଂଦେଶ।

ବର୍ଣ୍ଣିଯାଏ ବିରହିଣୀର ବିଳାପ

ମୋ ସମ୍ମୁଖରେ

ପ୍ରଶ୍ନଟିଏ ସହସା ଉଙ୍କି ମାରେ

ମୋର ଖିଆଲି ମନରେ

ସତେ କଣ ମୁଁ ସେ ବିରହୀ ଯକ୍ଷ

ସତେ କଣ ମୋ ପ୍ରାଣ ପ୍ରିୟା ଝୁରି ମରେ

ମୋହରି ସ୍ମୃତିରେ ବହୁ ଦୂରେ

ଅଳକାପୁରୀର ରାଜପ୍ରାସାଦରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance