ମେଘ ଅନ୍ଧାରରେ ଯମୁନା ହସେ
ମେଘ ଅନ୍ଧାରରେ ଯମୁନା ହସେ
ଭାଦ୍ରବ ମାସର ଅନ୍ଧକାର ରାତି
ବିଜୁଳି ଚମକ ଛୁଟେ
ବରଷାର ଧାରେ ଘଡଘଡି ମାରେ
ନଭେ କଳାମେଘ ଘୋଟେ ।
ଥରି ଯାଏ ଛାତି ବୁଜି ହୁଏ ଆଖି
ଭୟ ଆସେ ହୃଦୟରେ
ଯନ୍ତ୍ରଣେ ଦେବକୀ ଛଟପଟ ହୁଏ
କଂସ ବନ୍ଦୀ ଶାଳା ଘରେ ।
ନୟନରୁ ତାର ଲୁହ ଝରି ଯାଏ
ତଥାପି ମନରେ ଖୁସି ହେଉ ଥାଏ
ପ୍ରଭୁ ଆସିବେ କୋଳରେ ।
ଭୟ ବି ଥାଏ ମନରେ ।
ନିଶାବରୀ ଧିରେ ବଢି ବଢି ଯାଏ
ମେଘ ଢାଳଇ ବରଷା
ଘୋର ଅନ୍ଧକାର ଘୋଟିଗଲା ମହୀ
ନ ଦିଶିଲା କିଛି ଦିଶା ।
ପ୍ରହରୀମାନେ ଯେ ଅଚେତ ହୋଇଣ
ପଡିଲେ ସେଇଠି ଶୋଇ
ବନ୍ଦୀଶାଳାଟି ଯେ ଦିବ୍ୟ ଆଲୋକରେ
ଉଦ୍ଭାସିତ ଗଲା ହେଇ ।
ଆଠ ଘଡିକରେ ଅଷ୍ଟମ ଗର୍ଭରୁ
ଜନମ ହୋଇଲେ ଦେବକୀ ଉଦରୁ
ଖେଳ କରିଲେ ମାୟାରେ
ଦେବକ ବେହୋସ ବାରେ ।
ହେଲା ଶୂନ୍ୟ ବାଣୀ ଶୁଣ ବସୁଦେବ
ଶୀଘ୍ର ଏଠୁ ନେଇ ଯାଅ
ଗୋପ ପୁରେ ଯାଇ ନନ୍ଦ କୋଳେ ଦେଇ
କନ୍ୟା ପାଲଟାଇ ନିଅ ।
ଚାହୁଁ ଚାହୁଁ ଦଶ କବାଟ ଫିଟିଲା
ଫିଟିଲା ପାଦ ଶିଙ୍କୁଳି
ଦେଖି ଦିବ୍ୟ କାନ୍ତି ଚତୁର୍ଦ୍ଧାମୂରତୀ
ବସୁଦେବ ମନେ ଭାଳି ।
ଧନ୍ୟ ପ୍ରଭୁ ତୁମେ ଜନ୍ମିଲ କୋଳରେ
ରଖି ପାରୁନାହିଁ ତୁମକୁ ପାଖରେ
ନୟନରୁ ଲୁହ ଝରେ ।
ନମିଲେ ଯୋଡି କରେ ।
ପୁତ୍ରକୁ ମୁଣ୍ଡରେ ମୁଣ୍ଡେଇ ଚାଲନ୍ତି
ଝଡି ବରଷା ରାତିରେ
ପଥ ଓଗାଳିଲେ ଉଗ୍ରସେନ ଆସି
ବସୁଦେବଙ୍କୁ ବାଟରେ ।
ଚତୁର୍ଦ୍ଧାମୂରତୀ ଦେଖି ଉଗ୍ରସେନ
ବାଟ ତାଙ୍କୁ ଛାଡି ଦେଲେ
ଯମୁନା କୂଳରେ ପୁତ୍ରକୁ ଧରିଣ
ବସୁଦେବ ପ୍ରବେଶିଲେ ।
ଉଜାଣୀ ବହୁଛି ଯମୁନାଇ ନଈ
ଭୟ ନ କରିଣ ପଶିଲେ ସେ ଯାଇ
ଯମୁନା ଖୁସି ଅନ୍ତରେ
ପାଦ ଧୋଇବ ଜଳରେ ।
ଯମୁନା ଉଦ୍ଧତ ଦେଖି ବାସୁଦେବ
ମନେ ମନେ ହସୁ ଥିଲେ
ବୁଡି ଯିବା ଭୟେ ପୁତ୍ରକୁ ମୁଣ୍ଡରେ
ବସୁଦେବ ଥୋଇ ଦେଲେ ।
ପ୍ରଭୁଙ୍କ ଚରଣ କେମିତି ଛୁଇଁବ
ଯମୁନା ହୋଇଲା ଭାଳି
ତୋ କୋଳେ ଖେଳିବି ଅପେକ୍ଷା ତୁ କର
କହିଦେଲେ ବନମାଳୀ ।
ପ୍ରଣାମ କରି ସେ ବାଟ ଦେଇଦେଲା
ସପ୍ତଫଣୀ ବରଷାରୁ ରକ୍ଷା କଲା
ଯମୁନା ଖୁସି ନ ସରେ
ପ୍ରଭୁ ଖେଳିବେ ତାର କୋଳରେ ।
ଗୋପପୁରେ ଯାଇ ନନ୍ଦ କରେ ଦେଇ
କନ୍ୟାକୁ ନେଇ ଆସିଲେ
ମାୟାଧର ମାୟା ସର୍ଜନା କରିଲେ
କବାଟମାନ ପଡିଲେ ।
ବାସୁଦେବ ପାଦେ ଶିଙ୍କୁଳି ପଡିଲା
ପ୍ରହରୀମାନେ ଜାଗ୍ରତ
କୁଆଁ କୁଆଁ ରାବ ଶିଣିଣ ପ୍ରହରୀ
ହେଇଗଲେ ସ୍ତମ୍ଭୀଭୂତ ।
କନ୍ୟା ରତ୍ନ ଦେଖି ଦେବକୀ ଚକିତ
କଂସ ବନ୍ଦୀ ଶାଳେ ପ୍ରବେଶୀ କମ୍ପିତ
ଧରିନେଲା ନିଜ କରେ ।
ମାରିଲା ଶିଳା ଉପରେ ।
ବିଜୁଳି ପରିକା ହାତରୁ ଖସିଲା
ଶୂନ୍ୟ ଆକାଶେ ହସିଲା
ତୋତୋ ଯେ ମାରିବ ଗୋପରେ ବଢୁଛି
କହି ଅନ୍ତର୍ଦ୍ଧାନ ହେଲା ।
କ୍ରୋଧେ ଜର୍ଜରିତ ହେଇ କଂସାସୁର
ହାତ ଗୋଡେ ବେଡି ଦେଇ
କପଟ କରିଲ କହିଣ ଅସୁର
ବନ୍ଦୀରେ ରଖିଲା ନେଇ ।
ଦେବକୀ ଆଖିରୁ ଲୁହଧାର ଝରେ
ଯମୁନା ହସଇ କାହ୍ନୁର ପ୍ରେମରେ
ଖେଳିବେ ସେ ମୋର ନୀରେ ।
ବଇଁଶୀର ସୁରେ ସୁରେ ।