STORYMIRROR

Sambit Srikumar

Abstract Inspirational

4  

Sambit Srikumar

Abstract Inspirational

ମଧୁଚନ୍ଦ୍ରିକା

ମଧୁଚନ୍ଦ୍ରିକା

1 min
283

କାଗଜ କଲମରେ ଆଇନ କାନୁନର ଭାଷାରେ

କେବେ ଠୁଁ ଶେଷ ହୋଇଗଲାଣି ସମ୍ପର୍କ ତୁମ୍ଭ ଦୁହିଁଙ୍କର

ଛିଣ୍ଡିଗଲାଣି ବିବାହ ବନ୍ଧନ ଦିଆନିଆ ସରିଛି କ୍ଷତିପୂରଣ

ତଥାପି ଚାଲିଛି ତୁମ୍ଭର ମଧୁଚନ୍ଦ୍ରିକା ଲୁଚାଛପାରେ

ଜନତାର ଦୃଷ୍ଟି ଆଢୁଆଳରେ ନିଭୃତ ପ୍ରାସାଦରେ

ରାଜ୍ୟରେ ଲଢ଼ାଲଢ଼ି ଦିଲ୍ଲୀରେ କୋଳାକୋଳି

ବାଃ! କି ବଢିଆ ତୁମ୍ଭେ ଖେଳୁଛ ଲୁଚକାଳି!

କ୍ଷମତାର ମହୁଆ ନିଶାଟା ଭାରି ମାରାତ୍ମକ ସତରେ

ରଙ୍କୁଣା ମଣିଷକୁ ଏଇ ନିଶାଟା ଘାରିଲେ ଥରେ

ସିଏ ମଣିନିଏ ଶାମ ଦାନ ଦଣ୍ଡ ଭେଦ

ସବୁକିଛି ଏଥିରେ ବୈଧ ଏଇଟା ହିଁ ମୂଲ୍ଯବୋଧ

ନୀତି ଆଦର୍ଶ ଧର୍ମ ନ୍ଯାୟ ନୈତିକତା

ସବୁ ଯାଉ ପଛକେ ଚୁଲି ମୁଣ୍ଡକୁ

କ୍ଷମତାର ଡୋରି ଥାଉ ହାତମୁଠାରେ।

ଆପଣାକୁ ମଣୁଅଛ ଏକା ଚାଲାକ ମହୀରେ

ଜନତା ଭକୁଆ ଜଳକା ତୁମ୍ଭ ଭେଳିକିରେ

ଗାଁ ଗହଳିରେ କର୍ମୀ ହତାହାତି ମୃତାହତ

ରକ୍ତର ଅତୁଟ ସମ୍ପର୍କରେ ଅଗଣିତ କୂଟ

ମନରେ ମନରେ ଭାଇ ଭାଇରେ ଫାଟ

ସୃଷ୍ଟି କରିଛି ତୁମ୍ଭର କ୍ଷମତା ଲଭିବାର ନିଶା

ଦୂୂୂର ଦୂର ଯାଏଁ ଦିଶୁନାହିଁ ସୁଧୁରିବାର ଆଶା।

ଏକି ତୁମ୍ଭ ବଡପଣ ଏକି ତୁମ୍ଭ ବିବେକ?

ନିଜର ନ୍ଯସ୍ତ ସ୍ବାର୍ଥ ପାଇଁ ସୃଜୁଛ ବିଭେଦ

ଯେବେ ହୋଇବ ଏଇ ଜନତା ଜାଗ୍ରତ

ଫିଟିଯିବ ତୁମ୍ଭର ସବୁ କାରସାଦି ଗୁମର

ନା ତୁମ୍ଭେ ହେବ ଘରର ନା ଘାଟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract