ମଧୁ ବର୍ଣ୍ଣବୋଧ କବିତା ମାଳା
ମଧୁ ବର୍ଣ୍ଣବୋଧ କବିତା ମାଳା
ନକର ରୋଷ ନ ଧର ଦୋଷ
ଅଭିମାନ କର ନାହିଁ
ଭାଇ ଭଉଣୀଏ ଖେଳିବା ଆସ
କଟି ପକାଅନି କେହି ।
ମିଳି ମିଶି ଆମେ ଖେଳି ଯିବା ଖେଳ
ରାଗ ରୁଷା ହେବା ନାହିଁ
ଏ ମାଟି ମାଆର ଆମେ ତ ସନ୍ତାନ
ଏକା ସାଥେ ଥିବା ରହି ।
ଅଢେଇ ଦିନିଆ ଏଇତ ଜୀବନ
ତାକୁ ତ ଭରସା ନାହିଁ
ବୃଥାଟାରେ କିମ୍ପା ଅହଂଭାବ ଧରି
ଅପଡ ହୋଇବା କାହିଁ ?
ଏ ମାଟି ଶରୀର ମାଟିରେ ମିଶିବ
ନିଃଶ୍ବାସଟି ଗଲେ ରହି
ମଶାଣୀ ଜୁଇରେ ପାଉଁଶ ହେବ ସେ
ନ ଯିବେ ସାଥିରେ କେହି ।
ଜନମିଛେ ଏକା ଚାଲି ଯିବା ଏକା
ରହି ଥିବ ଏହି ମହୀ
ଯେତିକି ବଞ୍ଚିବା ସାଥି ହେଇ ଥିବା
ହାତକୁ ଛାଡିବା ନାହିଁ ।
ଧରିବାନି କେବେ କାହା କଥା କେହି
ପଥ ଯିବା ଆମେ ବାହି
ଯେତେ ବାଧା ବିଘ୍ନ ଦୁଃଖ କଷ୍ଟ ଆସୁ
ହସି ହସି ଯିବା ସହି ।
ଆଲୁଅ ଅନ୍ଧାର ମଣିଷ ଜୀବନ
ଏଇ ଅଛି ଏଇ ନାହିଁ
ଅଢେଇ ଦିନକୁ କାହିଁକି ବଡେଇ
ଜିଦି କର ନାହିଁ କେହି ।
ପାଣି ଫୋଟକାର ଏଇତ ଜୀବନ
କପଟ ରଖନି କେହି
ଯେତିକି ବଞ୍ଚିବା ସାଥିରେ ରହିବା
ହସି ହସାଇବା ମହୀ ।
ଗୋଟିଏ ମାଳରେ ଅନେକ ଫୁଲ ତ
ବାସ ଛୁଟାଉଛେ ମହୀ
ରଙ୍ଗ ବେରଙ୍ଗର ସାଜି ପ୍ରଜାପତି
ସବୁ ମନ ନେବା ମୋହି ।
ବିପଦ ଆପଦ ଆସୁ ଝଡଝଞ୍ଜା
ଏକ ସାଥେ ଥିବା ରହି
ଆମ ଏ ସମ୍ପର୍କ ଅତୁଟ ରଖିବା
ନେବା ତ ଶପଥ ଏହି ।
ଭୁଲ୍ ବୁଝାମଣା ଆଣିବାନି ମନେ
ସମ୍ପର୍କଟି ଭାଙ୍ଗେ ସେହି
ମାନ ଅଭିମାନ ସବୁ ଭୁଲି ଯିବା
ଖୁସି ସାଉଁଟିବା ତହିଁ ।
ଆମେତ ହସିଲେ ହସିବ ଜଗତ
ଆମ ପରି କେହି ନାହିଁ
ଗୋଟିଏ ମାଆର ଆମେ ପୁଅ ଝିଅ
ରଖିବା ତ ଟେକ ମହୀ ।।
