ମୌସୁମୀ
ମୌସୁମୀ
ପ୍ରତିଦିନ ମୁହିଁ ତୁମ ଅପେକ୍ଷାରେ
କହୁଛ ଆସୁଛି ଆସୁଛି
ପ୍ରଚଣ୍ଡ ନିଦାଘେ ପୋଡ଼ି ଶୁଖିଗଲି
ତଥାପି ଭରସା ରଖିଛି ।
ଅକାଳେ ସକାଳେ ତୁମକୁ ଜଗିଛି
ଦେଖୁଛି ଆସିବା ସମୟ
ଖୋଜୁଛି ତୁମକୁ ହୋଇ ବିକଳ
ବୁଝ ବ୍ୟଥା ଭରା ହୃଦୟ ।
ମେଘ ସୁଲୁସୁଲୁ ପବନକୁ ଦେଖି
ବଢୁଛି ଉତ୍ସାହ ମନେ
ଶାନ୍ତି କରି ଦିଅ ଏ ଧରା ଧାମକୁ
ଶୀତଳ କର ଆଗମନେ ।
ଝାଉଁଳି ଯାଇଛି ସମଗ୍ର ଧରିତ୍ରୀ
ଅସହ୍ୟ ଏହି ଗ୍ରୀଷ୍ମ ଦାଉ
କଳା ମେଘ ଟିକେ ଆକାଶେ ଦେଖିଲେ
ବରଷିବା ଆଶାରେ ରହୁ ।
ସନ୍ତାପିତ ପ୍ରାଣକୁ ଦିଅ ଶୀତଳେଇ
ଝୁମି ଚୁମି ଆସି ଧିରେ
ତୁମ ସ୍ପର୍ଶରେ ସଞ୍ଚାରିତ ହେବ
ନୂଆ ଜୀବନ ପ୍ରକୃତିରେ ।
ନୂତନ ପଲ୍ଲବ ପଲ୍ଲବୀତ ହେବ
ହସିବ ସବୁଜ କୋଳ
ପ୍ରଚଣ୍ଡ ରୌଦ୍ରରୁ ନିସ୍ତାର ମିଳିବ
ଧରାରେ ବୋହିଲେ ଜଳ ।
ଆଶା ଦେଇ ତୁମେ ନିରାଶ କରନା
କେବେ ଆସିବ ଭାବେ
'ମୌସୁମୀ' ଗୋ ସର୍ବେ ତୁମ ଅପେକ୍ଷାରେ
ଅଭିମାନ ଛାଡ଼ିବ କେବେ ।