ମୌସୁମୀ ଯାଇନି ଭୁଲି
ମୌସୁମୀ ଯାଇନି ଭୁଲି
ବରଷେ ବରଷେ ଆସଇ ମୌସୁମୀ
ଆମ ଓଡିଶାକୁ ବହି ।
ବିସ୍ତାରି ପ୍ରଭାବ ଦିଏ ଅନୁଭବ
ମହକାଇ ଦିଏ ମହୀ ।୧।
ତପତେ ତାପିତ ଧରା ହୁଏ ସିକ୍ତ
ମୌସୁମୀ ପରଶ ନେଇ ।
ବରଷଇ ଘନ ନଦୀ ପୁଷ୍କରିଣୀ
ଫୁଲେ ଘନରସ ପାଇ ।୨।
କେବେ ସୌଦାମିନୀ ଚମକେ
ଆକାଶେ କେବେ ବଜ୍ର ଘଡଘଡି ।
ମୌସୁମୀ ବରଷା ସଙ୍ଗେ ମିଶି ଆସି
କର୍ଣ୍ଣକୁହରରେ ପଡି ।୩।
ଦୁଲୁକାଏ ଛାତି ଆଣଇ ବିପତ୍ତି
କେବେ ହରେ କାର ପ୍ରାଣ ।
ମୌସୁମୀ ଆସିଲେ ସର୍ବେ ଆନନ୍ଦିିତ
ପୁଲକିତ ତନୁ ମନ ।୪।
ମୌସୁମୀ ଆସିଲେ ହସେ ଚାଷୀ ଭାଇ
ବିଲରେ କରିବ କାମ ।
ବିନା ମୌସୁମୀରେ ଫସଲ ହେବ କି
ବୁଦ୍ଧି ହୋଇଯାଏ ବାମ ।୫।
ଅଙ୍କୁରିତ ହୁଏ ବୀଜ ମୌସୁମୀର
ପରଶ ଯେବେ ଲଭଇ ।
କି ସୁନ୍ଦର ଦିଶେ ମୟୂର ନର୍ତ୍ତନ
ଦୃଶ୍ଯ ଚିତ୍ତ ମୋହୁଥାଇ ।୬।
ଚାତକ ପକ୍ଷୀଟି ଚାହିଁ ବସିଅଛି
ମୌସୁମୀ ଆସିବ କେବେ ।
ମୌସୁମୀ ଯାଇନି ଭୁଲି ଏସବୁକୁ
ଆସିବ ସେ ଏବେ ଏବେ ।୭।
