STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ମୌସୁମୀ ଆଗମନେ

ମୌସୁମୀ ଆଗମନେ

1 min
228

ତୁମ ଆଗମନେ ମନ ଓଳି ତଳେ

ଭାବନାର ଡଙ୍ଗା ଭାସେ,

ସ୍ମୃତି ଛାତି ଯେବେ ଓଦା ହୋଇ ଯାଏ

ମାଟିଆ ମାଟିଆ ବାସେ। 


ସ୍ୱପ୍ନିଳ ଆକାଶେ ଘନ ନୀଳ ମେଘ

ଲୁଚକାଳି ଖେଳୁଥାଏ,

ବାଦଲ ଉହାଡୁ ଉଙ୍କି ମାରି କେହି

ଇଶାରାରେ କିଛି କହେ। 


ଝରିପଡ଼େ ଯେବେ ଶୀତ ବାରି ଧାରା

ତପ୍ତ ହୃଦ ଅଗଣାରେ,

ସରିଯାଏ ସତେ ପ୍ରାରବ୍ଧ ବୈଶାଖ

ଆଖି ପିଛୁଳାକେ ଖରେ। 


ସବୁଜ ଧରଣୀ ଆବେଗରେ ଭରେ

ଗାଢ଼ ଶ୍ୟାମଳର ରଙ୍ଗ,

ସାରୁ ପତରରେ ଢଲଢଳ ହୁଏ

ରୂପେଲି ଜଳ ତରଙ୍ଗ। 


ବରଷା ଛିଟାର ଧୂମ୍ର ଆସ୍ତରଣେ

ଗୋପନେ କେ ରଚେ ରାସ,

ଆକାଶ ପୃଥିବୀ ମଧୁଚନ୍ଦ୍ରିକାରେ

ସନ୍ତୁଷ୍ଟିରେ ପୁରେ ଆଶ। 


ତୁମ ଆଗମନେ ନାଲି ଟୁକୁ ଟୁକୁ

ସାଧବବୋହୂର ବେଶ,

ଉତ୍ଫୁଲିତ ନଦୀ ସାଗର ସଙ୍ଗମେ

ପାଏ ଆନନ୍ଦ ଉତ୍କର୍ଷ। 


ଭରିଦିଅ ସତେ ନବ ପ୍ରାଣ ବୀଜ

ଜୀବ ଜୀବନ କନ୍ଦରେ,

ତୃପ୍ତିମୟ ହୁଏ ଧୂଳିରୁ ଦିଗନ୍ତ

ତୁମ ଆର୍ଦ୍ର ପରଶରେ। 


ଆନମନା ହୁଏ ଅମାନିଆ ମନ

ରୋମାଞ୍ଚିତ ହୁଏ ତନୁ,

ପ୍ରାଣ ଖୋଜେ ଏକ ନିବିଡ଼ ଆଶ୍ରୟ

ବାକିଥିବା ବହୁଦିନୁ। 


ତୁମେ ଆସ ସତ ବାରିଧାରା ନେଇ

ଶୀତଳ ନିଃଶ୍ୱାସ ସହ,

ପରିଶେଷେ କିନ୍ତୁ ଜାଳିଦିଅ କରି

ଜୀବନକୁ ଦୁର୍ବିସହ। 


ତଥାପି ତୁମେ ମୋ ପରମ ପ୍ରେୟସୀ

ପ୍ରତୀକ୍ଷାରେ ଥାଏ ରହି,

ସହିଯାଏ ସବୁ ମାଘ ଓ ବୈଶାଖ

ତୁମ ଛୁଆଁ ଟିକେ ପାଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance