ମାୟା
ମାୟା
ମିଛ ମାୟା ଭରା ଏଇତ ଦୁନିଆ
ନୁହଁନ୍ତି କେହି କାହାର
ଆଖି ବୁଜି ଦେଲେ ଆଲୋକ ଦୁନିଆ
ହେଇଯାଏ ଯେ ଅନ୍ଧାର ।
ମୋର ମୋର ବେଲି ହେଉଥିବେ ସର୍ବେ
ହେଲେ ଥିବେ ସ୍ୱାର୍ଥପର
ସରିଗଲେ ସ୍ୱାର୍ଥ ବାଟ ଭାଙ୍ଗି ଯିବେ
ହେବେନି କେବେ ନିଜର ।
ସମ୍ପଦ ବେଳରେ ଦେବେ ସର୍ବ ଦେଖା
ବିପଦେ ନ ଥିବେ କେହି
ବାହାନା କରିଣ ଖସି ଚାଲି ଯିବେ
ବାଟ ଚାହିଁ ଥିବେ ରହି ।
ଯାହାକୁ ଜନମ ଦେଇଥିବ ତୁମେ
ସିଏ ବି ହେବନି ତୋର
ସମ୍ପତ୍ତି ମାୟାରେ ବାୟା ହେଉଥିବେ
ଅପମାନ ଦେବେ ଘୋର ।
ମିଛ ମାୟା ଜାଲେ ବୁଡି ରହି ଥିବେ
ଉପରେ ଦେଖେଇ ହେଇ
ଭିତରେ ଭିତରେ ସର୍ବସ୍ଵ ଲୁଟିଣ
ଲୁହରେ ଦ୍ୟନ୍ତି ଭସେଇ ।
ଯାହା ପ୍ରତି ଯା'ର ମାୟା ରହି ଥାଏ
ସିଏ ତାକୁ ଭଲ ପାଏ
ଅନ୍ଧ ଭାବେ ସିଏ ସବୁ ତା କଥାକୁ
ବିଶ୍ବାସ କରିଣ ଯାଏ ।
ନର ମାୟା ନାରାୟଣେ ଅଗୋଚର
ବୁଝିବା ପାରିବ କିଏ
ଉପରକୁ ଯାହା ଦେଖା ଯାଉ ଥାଏ
ଭିତରଟା ତାହା ନୁହେଁ ।
କେତେବେଳେ କେଉଁ ଖେଳ କିଏ ଖେଳେ
କହି ବା ପାରିବ କିଏ
କାହାର ସୁନାମ ସହି ନ ପାରିଣ
ବଦଲାମୀ କରେ କିଏ ।
ସତ୍ୟତା ନ ବୁଝି ଏ ମାନବ ମାୟା
କୁହୁଡିରେ ଭାସି ଯାଇ
ଛନ୍ଦି ହେଇ ଯାଇ ଭଲ ମଣିଷଠୁ
ଯାଇଥାଏ ବି ଦୂରେଇ ।
ରାଜନୀତି ମାୟା କରେ ସବୁ ବାୟା
ଟଙ୍କା ଲୋଭେ ପଡିଥାନ୍ତି
ଭଲ ମନ୍ଦ କିଛି ବିଚାର ନ କରି
କୁହୁଡିରେ ଭ୍ରମି ଯାନ୍ତି ।
ନିଜ ପରିବାର ଦିଏ ବେଶୀ ଧୋକା
ପଥେ କଣ୍ଟା ଭରି ଥାଏ
ନିନ୍ଦା ଅପବାଦ ଯନ୍ତ୍ରଣା ଲୁହର
ସାଗରେ ଭସେଇ ଦିଏ ।
କାହା ସୁଖ କେହି ଦେଖି ପାରନ୍ତିନି
ସବୁ ମିଥ୍ୟା ହେଇଯାଏ
ମିଛ ସ୍ନେହ ମାୟା ମମତାରେ ପଡି
ଦୁଃଖକୁ ଡାକିଣ ଥାଏ ।
ମାୟାଧର ମାୟା ଖେଳ କିଏ ଜାଣେ
ହେଇଥାଏ ଅଗୋଚର
ହିତାହିତ ଜ୍ଞାନ ଭୁଲି ଏ ମଣିଷ
ମୟାରେ କରେ ବିହାର ।
ପୁତ୍ର ସ୍ନେହ ମାୟେ ରାଜା ଧ୍ରୁତରାଷ୍ଟ୍ର
ଅନ୍ଧ ହେଇ ଯାଇଥିଲେ
ପୁତ୍ରର ଅନ୍ୟାୟ ଅଧର୍ମକୁ ସିଏ
ପ୍ରଶୟ ଦେଉଣ ଥିଲେ ।
ସବୁ ଜାଣି ଶୁଣି ନୀରବ ରହିଲେ
ବଂଶ ପାଇଗଲା ଧ୍ୱଂସ
ମାୟା ମମତାଟା ଏମତି ଗୋଟିଏ
ସବୁ କରି ଦିଏ ଶେଷ ।
ମହାଭାରତ ଯୁଦ୍ଧରେ ମାୟା କରି କୃଷ୍ଣ
ପାଣ୍ଡବେ ଜିତାଇ ଥିଲେ
ଅଦୃଶ୍ୟ ଭାବରେ ଚକ୍ରକୁ ବୁଲାଇ
ସଭିଁଙ୍କି ନିହତ କଲେ ।
ଯମୁନା କୂଳରେ ମାୟା କରି କୃଷ୍ଣ
ଗୋପୀ ବସ୍ତ୍ର ଚୋରି କଲେ
ମାୟାରେ ମାତାଙ୍କୁ ମୋହିତ କରି ବିଶ୍ୱ
ବ୍ରହ୍ମାଣ୍ଡ ଦେଖାଇ ଥିଲେ ।
ଯମୁନା ନଈକୁ ଉଜାଣି ବୁହାଇ
ନିଜେ ନାଉରୀ ସାଜିଲେ
ମାୟାରେ ଦିନରେ କୁହୁଡି କରିଣ
ରାଧେ ପ୍ରେମେ ମଜ୍ଜି ଗଲେ ।
ନାରୀଙ୍କର ମାୟା ଦୂରରୁ ଜୁହାର
ହୁଅନ୍ତି ନି ସେ କାହାର
ନିଜ ସ୍ୱାର୍ଥ ପାଇଁ ସଭିଁଙ୍କି ନଚେଇ
ଭାଙ୍ଗି ଦ୍ୟନ୍ତି ପରିବାର ।
ମାୟର ପଛରେ ଯିଏ ବି ପଡିଛି
ତାହାର ନିସ୍ତାର ନାହିଁ
ଏ ମାୟା ବନ୍ଧନୁ ଉଦ୍ଧାରିବା ପାଇଁ
ସାହା ଏକା ଭାବଗ୍ରାହୀ ।
