ମାୟା ସଂସାର
ମାୟା ସଂସାର
ମାୟା ସଂସାରରେ
ଭ୍ରମି ନିରତରେ
ବିଷୟା ମୋହରେ ପଡି ।
ଧନ ଦାରା ସୁତ
ପୁତ୍ରୀ ଭୃତ୍ୟ ମିତ୍ର
ସହିତ ହୋଇଛେ ଜଡି
କି କାରଣେ ଆମେ
ଆସିଛେ ଏ ଧାମେ
କିବା ଉଦ୍ଦେଶ୍ୟ ସାଧନେ ।
କିଏ ଅଟେ ମୁହିଁ
ଆସିଅଛି କାହିଁ
ପ୍ରଶ୍ନ ମୋର ମନେ ।
ଖାଇବା ପିଇବା
ଧନ ଅରଜିବା
ଅନ୍ୟାୟ ଅନୀତି କରି ।
ଆସିଅଛୁ ଏକା
ଚାଲିଯିବା ଏକା
ନେବା ନାହିଁ କିଛି ଧରି ।
ଏକା ସେ ଈଶ୍ଵର
ନିର୍ଦ୍ଦେଶ ତାଙ୍କର
ଅନୁଯାୟୀ ଅଭିନୟ ।
କରିବା ଏଠାରେ
ଭୂମିକାନୁଯାୟୀ
ଭୂଲି ଆତ୍ମପରିଚ଼ୟ ।
କିଏ କାହା ପୁତ୍ର
କେ କାର କଳତ୍ର
ନୁହେଁ ବାସ୍ତବରେ ଆମେ ।
ଜୀବନ ନାଟକ
ନାୟିକା ନାୟକ
ମିଥ୍ୟାକୁ ସତ୍ୟର ନାମେ ।
କି କାର୍ଯ୍ୟ ନିମନ୍ତେ
ଆସି ଅଛୁ ମ6ର୍ତ୍ତ୍ୟ
ବିସ୍ମରଣ କରିଦେଇ ।
ଅଚେତନ ହୋଇ
ସୁଖ ସୁରା ପିଇ
ଜୀବର ବନ୍ଦନା ଗାଇ ।
କ୍ଷିତି ଆପ ତେଜ
ବ୍ୟୋମ ବାୟୁ ହେଜ
ପଞ୍ଚଭୂତେଗଢା ଦେହ ।
ପାଞ୍ଚ ମନ ସାଥେ
ପଞ୍ଚବିଂଶ ରଥେ
ଟାଣେ ଦୃଢେ ମନ ହୟ ।
ବିବେକ ଲଗାମ
ଲଗାଇ ନ ଭ୍ରମ
ସଦ ପଥ ଯାତ୍ରୀ ହୋଇ ।
ଭୁଲିବା ଅନିତ୍ୟ
ଆଚ଼ରିବା ନିତ୍ୟ
ସତ୍ୟଜୟଗୀତି ଗାଇ ।
ଆତ୍ମାନୁସନ୍ଧାନୀ
ବ୍ରହ୍ମବେତ୍ତା ଜ୍ଞାନୀ
ମୂଳସ୍ୱରୂପ ଲୋଡ଼ିଲେ ।
ଏ ମାୟା ସଂସାର
ରଜ୍ଜୁରୁ ନିସ୍ତାର
ହୋଇ ମୁକତି ଲଭିଲେ ।
ଦିବ୍ୟନର ଜନ୍ମ
ବିଶୁଦ୍ଧ କରମ
ନିତ୍ୟାନନ୍ଦ ପ୍ରାପ୍ତି କରି ।
ଆଚରି ଧରମ
ଜୀବକୁ ପରମ
ଧରମ ତତ୍ତ୍ଵ ବିଚାରି ।
ସତ୍ଵ ରଜ ତମ
ଗୁଣ ଅନୁକ୍ରମ
ନିର୍ବାଚନ ସ୍ଵୟମ୍ କରି ।
ଶାଶ୍ଵତ ଜୀବନ
କରିବା ଯାପନ
ମାନବ ପ୍ରବୃତ୍ତି ଧରି ।
ମାୟା ସଂସାରରେ
ଇନ୍ଦ୍ରଜାଲ ଘେରେ
ଦୃଷ୍ଟି ବନ୍ଧନେ ଅଦୃଶ୍ୟ ।
ସେ ଐନ୍ଦ୍ରଜାଲିକ
ସବୁରି ମାଲିକ
ସତ୍ୟ କରିବେ ପ୍ରକାଶ ।