ମାୟା ସଂସାର
ମାୟା ସଂସାର
ପରମାତ୍ମା ସହ ଜନନୀ ଜଠରେ
ଖେଳୁଥିଲି ନାନା ଖେଳ
ସମୟ ଚକ୍ର ର ଘୂର୍ଣ୍ଣନ ଫଳରେ
ତୁଟିଗଲା ସେହି ମେଳ ।
ଦେଖୁ ଦେଖୁ ଦଶ ମାସ ଦଶ ଦିନ
ହୋଇ ଗଲା ଏକ ଦିନ
ସବୁ ସମ୍ପର୍କ କୁ ତୁଟାଇ ଈଶ୍ୱର
ହେଲେ ମୋ ଦୃଷ୍ଟିରେ ଲୀନ ।
ଲୀନ ହେବା ଯୋଗୁଁ କାନ୍ଦି କାନ୍ଦି ମୁଁହି
ବିକଳେ ଡାକିଲି ତାଙ୍କୁ
ସବୁ ସମ୍ପର୍କ କୁ କ୍ଷଣକେ ତୁଟାଇ
ମତେ ସମର୍ପିଲେ ମା ଙ୍କୁ ।
ସେହି ଜନ୍ମ ଦିନୁ କେତେ ଜନ୍ମ ଦିନ
ଆସି ଯେ ଗଲାଣି ଚାଲି
ପ୍ରତି ଜନ୍ମ ଦିନେ ତାଙ୍କୁ ଯେ ପାଇବା
ଆସ୍ତେ ଆସ୍ତେ ଯାଏ ଭୁଲି ।
ସମୟ କ୍ରମରେ ବୟସ ବଢିଲା
ମୋହ ହେଲା ଏଠି ସୃଷ୍ଟି
ମୋହ ମାୟା ଠାରେ ଲୀନ ହୋଇମଧ୍ୟ
ଥମୁନି ନୟନୁ ବୃଷ୍ଟି ।
ଜନନୀ ଜଠ ରେ ମୋହ ଏକମାତ୍ର
ଖେଳିବା ଈଶ୍ୱର ସହ
ଏହି ସଂସାରେତ ଅସଂଖ୍ୟ ସମ୍ପର୍କ
ତେଣୁ ଅସମାପ୍ତି ମୋହ ।
ବାଲ୍ୟକାଳେ ଏଠି ପିତାମାତା ମୋହ
ଯୌବନେ ହୃଦୟ ରାଣୀ
ବୟସ ଗଡିଲେ ବିବାହ କରିଣ
ସନ୍ତାନ ଖୋଜେ ଏ ପ୍ରାଣୀ ।
ଜୀବନ ଆକାଶେ ପଶ୍ଚିମ ସୂରୁଜ
ଯେବେ ଦେଖାଯାଏ ଏଠି
ସେହି ସମୟରେ ପୁତ୍ର ମୋହ ଘାଣ୍ଟେ
ହେଲେ ମିଳିଥାଏ ଲାଠି ।
ଯେଉଁ ପୁତ୍ର ପାଇଁ ସୁନାର ସଂସାର
ବାପା ରକ୍ତମାଂସେ ତୋଳା
ସେହି ପୁତ୍ର ଏଠି ବାର୍ଦ୍ଧକ୍ୟ ସମୟେ
ତଡେ କରି ଠେଲାପେଲା ।
ଘରୁ ତଡା ଖାଇ ସ୍ମରଣ ଯେ ହୁଏ
ଏହିତ ମାୟା ସଂସାର
ପରମାତ୍ମା ଙ୍କୁଯେ ଛାଡି ଏ ସଂସାରେ
ନାହିଁ ତ କିଏ ନିଜର
ନାହିଁ ତ କିଏ ନିଜର ।।