ଅଣସର ଘରେ କାଳିଆ ସୁନା
ଅଣସର ଘରେ କାଳିଆ ସୁନା
କିଏ କହିଥିଲା କାଳିଆ ସୁନାରେ
ଏତେ ଗାଧୋଇବୁ ବୋଲି
ଜରରେ ପଡି ତୁ ଦୁଃଖ ଭୋଗୁ ଅଛୁ
ଭକତଙ୍କୁ ଦୂରେ ଠେଲି ।
ତୁ ଅଟୁ ଦିଗନ୍ତ ତୋ ଲୀଳା ଅନନ୍ତ
ତୁହି ତ କାର୍ଯ୍ୟ କାରଣ
ସବୁ ରୀତି ନୀତି ମାନବୀୟ ଗୁଣେ
ହୋଇଥାଏ ସମାପନ ।
ଅଣସର ଘରେ ପଡି ରହିଛୁ ତୁ
ଏହା ତୋ ଗୁପତ ସେବା
ଦଇତା ସେବକ ସେବା କରିଥାନ୍ତି
ଅସ୍ଥାୟୀ ଘରେ ତୁ ଉଭା ।
ରତନ ବେଦୀର ସାମ୍ନାରେ ତିଆରି
ବାଉଁଶ ତାଟିର ଘର
ଅଣସର ତାଟି ନାମେ ସେ ଖ୍ୟାତ ରେ
ଦ୍ଵାରଟି ତାହାର ଛୋଟ ।
କେମିତି ସେ ଘରେ ରହୁଛୁ ଜଗାରେ
ରତ୍ନସିଂହାସନ ଛାଡ଼ି
ଅଣସର ପିଣ୍ଡି ଧବଳ ଫୁଲରେ
ବଢ଼ାଉଛି ଶୋଭା ପେଡ଼ି ।
ଧବଳ ଫୁଲର ସାଥେ ତୁ ଦେଉଛୁ
ସାତ୍ତ୍ଵିକ ଚିନ୍ତାର ବାର୍ତ୍ତା
ଅସୁସ୍ଥ ସମୟେ ସାତ୍ତ୍ଵିକ ଭାବନା
ଦେହ ମନ ପାଇଁ ହିତା ।
ରଙ୍ଗ ବେରଙ୍ଗ ର ଫୁଲ ଦିଶୁନାହିଁ
ହେଉନି ତୁଳସୀ ସେବା
ରାଶି ତେଲ ଦୀପ ମଳିନ ଆଲୋକେ
ହୋଇଅଛୁ ତୁହି ଉଭା ।
ଦଇତା ପତି ଓ ମହାପାତ୍ର ଛଡ଼ା
ଆଉ କେହି ନାହିଁ ଘରେ
କଥା ଶୁଭୁନାହିଁ ଘଣ୍ଟ ଘଣ୍ଟା ନାହିଁ
କି କରିଛୁ ତୁ ସେଠାରେ ।
ତୋ ମହାପ୍ରସାଦ ରନ୍ଧା ହେଉ ନାହିଁ
ତୁ ପରା ଅନ୍ନ ଖାଉନୁ
ପଣା, ଛେନା ପୁଣି ଆମ୍ବ ସପୁରୀରେ
ପେଟ ଭୋକ ମେଣ୍ଟାଉଛୁ ।
ସମର୍ପଣ ବିଧି ମତେ ଛେନା ପଣା
ସମର୍ପିତ ହେଉଅଛି
ସେଥିରେ କି ପେଟ ପୁରୁଅଛି କହ
ମନରେ ପ୍ରଶ୍ନ ଉଠୁଛି ।
ଜରରେ ପଡ଼ି ତୁ ଅଲଗା ରହୁଛୁ
ଦେଉଛୁ ସ୍ୱାସ୍ଥ୍ୟର ବାର୍ତ୍ତା
ତୋହ ଠାରେ ଜ୍ଞାନ ତୋ ଠାରେ ବିଜ୍ଞାନ
ତୁ ପୁଣି ଜଗତ କର୍ତ୍ତା ।
ବୁଝି ପାରୁଛି ମୁଁ ତୁ କହି ଦେଉଛୁ
ଅସୁସ୍ଥ ସମୟ କଥା
ଗରୁ ଖାଦ୍ୟ ଠାରୁ ଦୂରରେ ରହିବା
ଏହା ଜୀବନର ବାର୍ତ୍ତା ।
ସେ ଘରର ଯେତେ ପତ୍ର, ଫୁଲ, ଚୋପା
ବାହାରକୁ ଆସୁନାହିଁ
ଦଶ ଦିନ ଯାଏ ଏଇ ଅବସ୍ଥାରେ
କିପରି ରହୁଛୁ ତୁହି ।
କହୁଛନ୍ତି ସର୍ବେ ଦଶମୀରେ ତୁହି
ଶଯ୍ୟା ତ୍ୟାଗ କରିଥାଉ
ପିଣ୍ଡି ବିଜେ କରି ଏକାଦଶୀ ଦିନ
ଦଶମୂଳା ରିଷ୍ଟ ଖାଉ ।
ବୈଦ୍ୟ ରାଜଙ୍କର କେତେ ଭାଗ୍ୟ ଜଗା
ଔଷଧି ଯେ ପରସନ୍ତି
ଜର ରୋଗେ ପଡ଼ି ନିଜେ କଷ୍ଟ ପାଉ
ଭକ୍ତେ ବି କଷ୍ଟ ପାଆନ୍ତି ।
ଅଙ୍ଗୁଳି ଗଣୁଛି ଘୋଷଯାତ୍ରା ତୋର
ଆଉ କେତେ ଦିନ ବାକି
ଶରଧା ବାଲିରେ ତୋ ରଥ ଗଡିବ
ଭକତେ ଅଛନ୍ତି ଟାକି ।