ରଙ୍ଗ ହୀନ ଆଜି ରତନବେଦୀ
ରଙ୍ଗ ହୀନ ଆଜି ରତନବେଦୀ
ଭାବ ରଙ୍ଗମୟ ରଙ୍ଗିଲା ଠାକୁର
ନାହିଁ ରତ୍ନ ସିଂହାସନେ
ରଙ୍ଗ ହୀନ ଏବେ ରତନ ବେଦୀ ଯେ
ବାହୁନି ବାହୁନି କାନ୍ଦେ ।
ରଙ୍ଗ ହୀନ ହୋଇ ବେଦନା ବିଧୂରେ
ଚାହିଁଛି ସିଂହ ଦୁଆରେ
ପୂର୍ଣ୍ଣବ୍ରହ୍ମ ତାକୁ ଛାଡ଼ି ଯାଇଛନ୍ତି
ସବୁ ଶୂନ୍ୟ ଶୂନ୍ୟତାରେ ଭରେ ।
ସିଂହାସନ ଶୂନ୍ୟ ଶୂନ୍ୟ ରୋଷ ଘର
ଆନନ୍ଦ ବଜାର ଶୂନ୍ୟ
ମହାପ୍ରସାଦର ବାସେ ମହକୁନି
ସବୁ ଲାଗେ ଯେ ଶ୍ରୀହୀନ ।
ରତନ ବେଦୀ ଯେ ବେଦନା ଜଡିତ
ଲୁହ ଢଳ ଢଳ ନେତ୍ର
କି ଜର ହୋଇଲା କାଳିଆ ସୁନାକୁ
କାହ୍ନୁ କରିଦେଲା ପର ।
ଶିରୀମନ୍ଦିର ର ଖାଁ ଖାଁ ଭାବ
ରତନ ବେଦୀ କାନ୍ଦୁଛି
ରଙ୍ଗ ହୀନ କରି କାଳିଆ ଯାଇଛି
କେବେ ଫେରିବ ଭାବୁଛି ।
ଭକତ ଭାବର ରୁ ଗୁଞ୍ଜନ ଶୁଭୁନି
ଶୁଭୁନି ଘଣ୍ଟ ମାର୍ଦଳ
ରୀତି କାନ୍ତି କଥା ମନେ ପଡ଼ୁ ଅଛି
ଚ଼କ୍ଷୁ ଝରେ ଅଶ୍ରୁ ଜଳ ।
ଶୂନ୍ୟ କୋଳ ତାର ନିରବେ କାନ୍ଦୁଛି
ନିଜକୁ ଲାଗେ ଶ୍ରୀହୀନ
ଦିନ ଲାଗେ ଯୁଗ ବାହୁନି କହୁଛି
ଫେରି ଆସ ଜୀବଧନ ।
ସେବାୟତ ଜଣେ ବୁଝାଇ କୁହଇ
ଶୁଣ ହେ ରତନ ବେଦୀ
ସାରା ବରଷ ତ ତୁମ ପାଖେ ଜଗା
ଏବେ ଅଛି ଜନ୍ମବେଦୀ ।
କାହିଁକି କାନ୍ଦୁଛ ଜାଣିନ କି ତୁମେ
ଭକତ ବାନ୍ଧବ ସିଏ
ପତିତ ଉଦ୍ଧାରେ ଜନମ ମାଟିକୁ
ଯାତରା କରୁଛି ସିଏ ।
କୁହ ରତ୍ନବେଦୀ ଜନମ ମାଟିର
ମହକ କି ଭୁଲି ହୁଏ
ଜଗତ ଠାକୁର ମାନବ ସମାଜେ
ଜୀବନ ର ବାର୍ତ୍ତା ଦିଏ ।
ମାତା ଗୁଣ୍ଡିଚା ଙ୍କ ପ୍ରତିଶୃତ କୁହ
କେମିତି ସିଏ ଭୁଲନ୍ତା
ପତିତ ଉଦ୍ଧାର ନ କଲେ କେମିତି
ମନ୍ଦିରେ ବାନା ଉଡନ୍ତା ।
ତୋ କୋଳରୁ ଯାଇ ରତନ ବେଦୀ ଲୋ
ଲକ୍ଷ ଲକ୍ଷ ଭକ୍ତ ତୋଷେ
ଜନମ ମାଟିରେ ମାତା ରାନ୍ଧଣାରେ
ଅପୂର୍ବ ପୁଲକେ ଭାସେ ।
ରଙ୍ଗ ହୀନ ତୋର ଚେହେରାକୁ
ପ୍ରଫୁଲ୍ଲିତ କରି ଦେଏ
ଠିକ୍ ସମୟରେ ଫେରି ଆସିବ ସେ
ମନରୁ ଦୁଃଖ କାଢି ଦେଏ ।
ସାରା ବରଷ ସେ ଐଶ୍ଵର୍ଯ୍ୟ ଲୀଳା ରେ
ତୋ କୋଳରେ ଥାଏ ବସି
ଏବେ ସେ ମାଧୁର୍ଯ୍ୟ ଲୀଳା କରୁଅଛି
ସ୍ମୃତି ଚାରଣ ରେ ଖୁସି ।
ତା ଖୁସୀରେ ତୁହି ଖୁସୀ ହୋଇ କରି
ପ୍ରତୀକ୍ଷା ଟିକିଏ କର
ପ୍ରତୀକ୍ଷା ର ଫଳ ମିଠା ହୁଏ ପରା
ଏ କଥାକୁ ମନେ ଧର ।
କାଳିଆ ଫେରିବ ଭାଇ ଭଗ୍ନୀ ସାଥେ
ନ ହୁଅ ତୁ ଆନ ମନା
ରଙ୍ଗ ବି ଭରିବ ଭାବ ଗୁଞ୍ଜରିବ
ନ କର ତିଳେ ଭାବନା ।
ବେଢାରେ ଶୁଭିବ ଭକତଙ୍କ ଡାକ
ମହାପ୍ରସାଦ ବାସିବ
ରଙ୍ଗ ମାଖି ପୁଣି ସଜ ହୋଇ ଥାଆ
ରତନ ବେଦୀ ହସିବ ।