ମାୟା ସଂସାର
ମାୟା ସଂସାର
ମୋହ ମାୟା ଭରା ଅଟେ ଏହି ସଂସାର ଆମର,
ସବୁତ ଲାଗନ୍ତି ନିଜର, କିନ୍ତୁ କେହି ନୁହେଁ କାହାର |
ବହୁ ପୂଣ୍ୟର ଫଳ ରୂପେ ଜନମିଲେ ମଣିଷ ହୋଇ,
ଆସିଚେ ସଭିଏଁ ଏଠାରେ, ନିଜ ନିଜ କର୍ମକୁ ନେଇ |
ଏହି ସଂସାରରେ ସବୁ ମିଥ୍ୟା ମୋହରେ ବନ୍ଧା ହୋଇଛି,
ଜନ୍ମ ସତ୍ୟ, ମୃତ୍ୟୁ ସତ୍ୟ, ତାହା ସଭିଙ୍କୁ ଜଣାଅଛି |
ତଥାପି ପଡି ସେଇ ମୋହ ମାୟାର ମିଥ୍ୟା ବନ୍ଧନରେ,
ଛାଟିପିଟି ହୁଏ ମଣିଷ, ବଡ଼ ଦୁଃଖ କଷ୍ଟ ଯନ୍ତ୍ରଣାରେ |
ଭାବେ ସବୁ କିଛି କରିଛି ସିଏ ସଭିଙ୍କ ପାଇଁ,
କିନ୍ତୁ କାହାର ଏବେ, ତା ପାଇଁ କିଛି ସମୟ ନାହିଁ |
ଭାବୁଛି ସଭିଙ୍କୁ ସିଏ, ହୋଇଛନ୍ତି ସବୁ ଏବେ ସ୍ୱାର୍ଥପର,
କିଛି ମୂଲ୍ୟ ନାହିଁ ଏବେ ତାର ସବୁ କର୍ତ୍ତବ୍ୟର |
ଖାଲି ଚାଲିଛି ଏବେ ସବୁ ହିସାବ, ଦେବା ନେବାର,
କିଏ ଠିକ ?କିଏ ଭୁଲ? ଆଉ କିଏ କାହାର ?
ସେହି ସବୁ ବ୍ୟବହାର ଅଟେ ଅଂଶ, ଗର୍ବ ଅହଙ୍କାରର,
ଭାଙ୍ଗେ ସିଏ ସବୁ ସମ୍ପର୍କ, ଏହି ସୁନାର ସଂସାରର |
>
ସତ୍ୟ ଧର୍ମ ନ୍ୟାୟ ସବୁ ଲାଗେ ବଡ଼ ପିତା,
ଅନ୍ୟାୟ ଅଧର୍ମର ଜାଲରେ ପଡି ପୁଣି କରେ ଚିନ୍ତା |
ଭୁଲିଯାଏ ଅସଲ ମର୍ମ, ତାର ଏହି ମଣିଷ ଜନ୍ମର,
କର୍ମ, ସତ୍ୟ ସବୁ ଅଟେ, ଅଂଶ ଜୀବନ ଯାତ୍ରାର |
ମାୟା ସଂସାରର ମିଠା ମିଠା ମଧୁ ସବୁ ପାନ କରି,
ମତୁଆଲା ହୋଇ ଚାଲେ, ମନରେ ବଡ଼ ଆଶା ଧରି |
ବୁଝି ପାରେ ନାହିଁ ସିଏ, ମାୟା ସଂସାରର ସବୁ ଖେଳ,
ଭାବେ ସବୁ ତାର, ପୂର୍ବ ଜନ୍ମର ଅମୃତ ଫଳ |
ଯେତେବେଳେ ସିଏ ଦେଖେ, ମାୟା ସଂସାରର ନଗ୍ନ ରୁପକୁ,
ଅଧୈର୍ଯ୍ୟ ହୋଇ, ଦୋଷ ଦିଏ ଖାଲି ନିଜ କପାଳକୁ |
ଭୁଲିଯାଏ କପାଳର ସବୁ କିଛି ନିଜକୁ ଲେଖିବାକୁ ହୁଏ,
ମାୟା ସଂସାର କିନ୍ତୁ, ତାକୁ ପଥ ଭ୍ରଷ୍ଟ କରାଏ |
ନିରାଶ ହୋଇ ଶେଷେ, ମନ ମାରି ସିଏ ବସିଯାଏ,
ମାୟା ସଂସାର ତାକୁ ଦେଖି, ତେବେ ଖୁସି ହୁଏ |
ଯେବେ ଚେତନା ଜାଗ୍ରତ ହୁଏ, ତ୍ୟାଗଇ ସିଏ ମୋହକୁ,
ବୁଝିପାରେ ସିଏ, ମାୟା ସଂସାରର ସବୁ ମିଥ୍ୟା ଖେଳକୁ |