ମାଟିର ମଣିଷ
ମାଟିର ମଣିଷ
ମାଟିର ମଣିଷ ମୁଁ ମାଟି ମଣିଷ
ମାଟିରେ ଛାଡିବି ଶେଷ ନିଃଶ୍ବାସ
ମାଟି ମୋର ଜନ୍ମ ମାଟି ମୋର କର୍ମ
ମାଟିରେ ମୁଁ ଦିନେ ହୋଇବି ଶେଷ ।
ମାଟି ମଣିଷ ମୁଁ ମାଟି ମଣିଷ ।
ଏଇ ମାଟି ମୋର ବଦଳାଏ ଭାଗ୍ୟ
ମାଟିର ମୁଁ ଯାଦୁଗର
କିଏ କହେ ମୋତେ ମାଟିର ମଣିଷ
ମାଟିର ଏ କୁମ୍ଭକାର ।
ଏଇ ମାଟି ମୋତେ ଦେଇଛି ଜୀବନ
ମନେ ଆଙ୍କି ଦିଏ ସୁନେଲି ସପନ
ସପନ ଭିତରେ ଆଖି ହଜି ହୁଏ
ଚିତ୍ର କୁହୁକରେ ବଶ ।
ମାଟିର ମଣିଷ ମୁଁ ମାଟି ମଣିଷ ।
ଜନ୍ମ ହେଲି ଯେବେ ଏନ୍ତୁଡି ଶାଳରେ
ମାଟିରେ ମୁଁ ପାଦ ଦେଲି
ମାଟିରେ ଖେଳିଲି ମାଟିରେ ବୁଲିଲି
ମାଟି ଆପଣେଇ ନେଲି ।
ଏଇ ମାଟି ବାସ୍ନା ବିମୋହିତ କରେ
ଯେତେ ଦୂରେ ଗଲେ ମନ ତାକୁ ଝୁରେ
ତାହାରି ଭିତରେ ହଜାଇ ନିଜକୁ
ଭୁଲି ଯାଏ ମୋର କ୍ଳେଶ ।
ମାଟିର ମଣିଷ ମୁଁ ମାଟି ମଣିଷ ।
ଏ ମାଟି ଦେହରେ ବିଭିନ୍ନ ଆକୃତି
କେତେ ଦ୍ରବ୍ୟ କରେ ସୃଷ୍ଟି
ଦେବା ଦେବୀ ମୂର୍ତ୍ତି ଧରିତ୍ରୀ ପ୍ରକୃତି
ଟାଣି ରଖେ ସବୁ ଦୃଷ୍ଟି ।
ଏଇ ମାଟି ମୋତେ ଶିଖାଇଛି ହସ
ସେ ହସେ ଜଗତ ହେଇଯାଏ ବଶ
ସେଇ ତ ବଶରେ ଏ ସାରା ଦୁନିଆ
ସଭିଙ୍କ ମେଣ୍ଟାଏ ଶୋଷ ।
ମାଟିର ମଣିଷ ମୁଁ ମାଟି ମଣିଷ ।
ମାଟି ହେଇ ଆଜି ମାଟିରେ ମିଶିଛି
ମାଟିର ମଣିଷ ଟିଏ
ଏ ମାଟି ଦେହରେ ଫସଲ ଫଳାଇ
ଆହାର ଯୋଗାଇ ଥାଏ ।
ଦୁଃଖକୁ ହଟାଇ ଓଠେ ଭରେ ହସ
ପେଟର ଭୋକକୁ କରି ଦିଏ ନାଶ
ଦିନ ରାତି ମାଟି କର୍ଷଣ କରି ମୁଁ
ମନେ ଭରି ଦିଏ ଆଶ ।
ମାଟିର ମଣିଷ ମୁଁ ମାଟି ମଣିଷ ।
ମାଟି ବିନା କେହି ବଞ୍ଚି ପାରନ୍ତିନି
ମାଟି ତ ଆମର ମାଆ
ଏଇ ମାଟି ଆମ ଜୀବନ ଅଟଇ
ହସାଏ ସାରା ଦୁନିଆ ।
ମାଟିରେ ତିଆରି ମାଟିର ଜିନିଷ
ଜୀବନ ଭରାଏ ତା ଦେହେ ମଣିଷ
ସେ ମଣିଷ ପୁଣି ମଶାଣୀ ମାଟିରେ
ଶୋଇ ହୁଏ ମୁଠେ ପାଉଁଶ ।
ମାଟିର ମଣିଷ ମୁଁ ମାଟି ମଣିଷ ।
