ମାଟିଘର
ମାଟିଘର
ସମୟ ଚାଲିଛି ନିତି ନିଜସ୍ବ ବାଟରେ
ସୁଷମା ନିରେଖି ଫଗୁଣ ହାଟରେ
ମଣିଷ ବଦଳାଇଛି ଆପଣା ଠିକଣା
ଲୁହ ଆଉ ଲହୁର ଉଜାଣି ସୁଅରେ ।
ଜଙ୍ଗଲ ଛାଡ଼ି ସେ ଆସି ରହିଲା ମାଟି ଘରେ
ସୁଖର ସପନ ନେଇ ମହାଆନନ୍ଦରେ
ବେସୁରା ଜୀବନ ତା ସଙ୍ଗୀତରେ ଭରିଲା
ସରସତା ଖେଳିଲା ମନ ମନ୍ଦିରରେ ।
ସମୟ କ୍ରମେ ଋତୁ ପରେ ଋତୁ ଧରାକୁ ଛୁଇଁଲା
ଦିନ ମାସ ବର୍ଷ ଦଶନ୍ଧି ବିତି ଯେ ଚାଲିଲା
ମାଟି ଘରେ ସେଇ ସ୍ବପ୍ନ ବିଧୂର ପ୍ରତିଟି କ୍ଷଣ
ଶିଶିର ଭିଜା ହୃଦୟ ରେ ତା' ମଳୟ ବୁଣିଲା ।
ବୈଶାଖ ଯେବେ ତପ୍ତକଲା ଧରଣୀର ତନୁଲତା
ମାଟିଘର ଭରିଥିଲା ହୃଦୟ ସହ ଶରୀରେ ଶୀତଳତା,
ଶୀତର ସେ ପ୍ରଚଣ୍ତ ଜାଡକୁ ଅଚିରେ ଦେଇ ଦୂରେଇ
ପାଇଥିଲା ସେ ସେଇ ମାଟି ଘରେ ପ୍ରୀତିର ଉଷ୍ଣତା ।
ମାଟିଘର ଆଜିବି ଲାଗେ ସଭିଙ୍କୁ ଖୁବ୍ ଆପଣାର
ଆକାଶର ଛାତି ତଳେ, ସେ ପ୍ରେମ ନିରୀହ ମାଟିର
ତା'ସେ ମାଟି ଲେପା କାନ୍ଥର ମିଠା ମିଠା ବାସ୍ନା
ସ୍ମୃତିହୋଇ ରହିଛି ମନେ ସତେକି ସୁନେଲି ଅତୀତର ।।