ଜହ୍ନ ପାଇଁ ପଦେ
ଜହ୍ନ ପାଇଁ ପଦେ
ମନ ର ନିବୁଜ କୋଠରୀ ଭିତରୁ
ପରଦା ଆଡେଇ ଦେଇ,
ଆକାଶ ବୁକୁରେ ବାଦଲ ଫାଙ୍କରେ
ଦେଖିଲି ଜହ୍ନର ଛାଇ !
ରଜନୀଗନ୍ଧାର ମହମହ ବାସ୍ନା
ଚିକିମିକି ଭରା ରାତି,
ଶୀତଳ ଛୁଆଁ ତା ବିବ୍ରତ କରୁଥିଲା
ବଢ଼ୁଥିଲା ମନେ ପ୍ରୀତି !
ମନ ମନ୍ଦାକିନୀ ଆନମନା ଥିଲା
ପାଗଳ ପରାଏ ଆସି,
ମେଘର ମହ୍ଲାର ମଧୁର ମୂର୍ଚ୍ଛନା
ସପନ ଜୁଆରେ ଭାସି !
ଝରା ଶେଫାଳି ଟା ଚୂମଇ ଭୂମିର
ଉଷୁମ ନରମ ଦେହ
ତା ମିଠା ପରଶେ ଶିହରଣ ଜାଗେ
ପ୍ରୀତି ବାସେ ମହମହ !
ମୋହନ ବଂଶୀର ମଧୁର ମୂର୍ଚ୍ଛନା
କୁଞ୍ଜବନେ ଶୋଭା ତୋଳେ,
ସ୍ବପ୍ନ ବାଣ୍ଟୁଥାଏ ଅଳସୀ ରାତିଟା
ଘନ ଅନ୍ଧକାର କୋଳେ !
ମନ ମନ୍ଦାକିନୀ ମତିଭ୍ରମେ ଆଜି
ଭାସଇ କଳ୍ପନା ସ୍ରୋତେ,
ଖୋଜେ ସିଏ ପରା ପ୍ରୀତିର ମହ୍ଲାର
ଭାସି ସପନ ବୋଇତେ !
