STORYMIRROR

Geetanjali Prusty

Action

4  

Geetanjali Prusty

Action

ମାଆ ଆସୁଛନ୍ତି ବୋଲି

ମାଆ ଆସୁଛନ୍ତି ବୋଲି

1 min
290


ଶେଷ ଅଶିଣରେ ଦିବ୍ୟ ଶୋଭାରାଶି

ଶୋଭାର ପସରା ମେଲି 

ସୁଶୋଭିତ ବନ ଏ ଧରା କାନନ

ମାଆ ଆସୁଛନ୍ତି ବୋଲି ll


ଘାସ ପତରରେ ରୂପା ରଙ୍ଗ ଭରି

କାକର କରନ୍ତି ମେଳି

ନଈପଠା ଧାରେ କାଶତଣ୍ଡୀ ଖେଳେ

ଚାମର ହଲାଇ ଦୋଳି

ମାଆ ଆସୁଛନ୍ତି ବୋଲି ll


ପୁଲକିତ ଧରା ସ୍ୱତଃ ଆତ୍ମହରା

ଶୁଣି ମାତୃ ମନ୍ତ୍ରଧ୍ଵନି

ନୈସର୍ଗିକ ସତ୍ତା କରେ ଆନମନା 

ଖୁସି ପଡୁଛି ଉଛୁଳି

ମାଆ ଆସୁଛନ୍ତି ବୋଲି ll


ମର୍ତ୍ତ୍ୟପୁରେ ନାଶି ଆସୁରିକ ଶକ୍ତି

ଭରିଦେଇ ମନେ ଶାନ୍ତି

ଅସତ୍ୟ ଉପରେ ସତ୍ୟର ବିଜୟ

ସ୍ତମ୍ଭୀଭୂତ ହେବ କଳି

ମାଆ ଆସୁଛନ୍ତି ବୋଲି ll


ଭୁବନ ମୋହିନୀ ଜଗତ ଜନନୀ

ଆଦି ଶକ୍ତି ସ୍ୱରୂପିଣୀ

ଦେବୀ ଦଶଭୁଜା ଭବ୍ୟ ଆଗମନେ

ଧରା ପଡୁଛି ଉଛୁଳି

ମାଆ ଆସୁଛନ୍ତି ବୋଲି ll


ପାପ ତାପ ନାଶି ଆନନ୍ଦ ପ୍ରକାଶି

ମରତକୁ ସ୍ବର୍ଗ କରି

ମାନବ ପରାଣେ ଭରି ଦେଇଯାଉ

ପ୍ରୀତି ଶ୍ରଦ୍ଧା ଗୁଣାବଳି

ମାଆ ଆସୁଛନ୍ତି ବୋଲି ll


ଶରତ ଆକାଶୁ ମେଘମାଳା ସବୁ

ବହୁଦୂରେ ଫେରିଲେଣି

ନିରିମଳ ଜଳ ପାଟ, ତୋଟା ମାଳ

ଫୁଲେ ଫୁଲେ ହସିଲେଣି

ମାଆ ଆସୁଛନ୍ତି ବୋଲି ll


ନୀଳାମ୍ବରେ ଶଶୀ ଦେଉଛନ୍ତି ହସି

ସରୋବରେ କଇଁ କଳି

ମିଳନ ମାଧୁରୀ ଗାଏ ଶ୍ଵେତାମ୍ବରୀ

ସ୍ୱଳ୍ପ ଆୟୁରେ ଶେଫାଳି

ମାଆ ଆସୁଛନ୍ତି ବୋଲି ll


ସୁଦୃଶ୍ୟ ତୋରଣ ବାଇଦ ବାଜଣା

ଆଲୋକରେ ଗୁନ୍ଥି ମାଳି

ସଜେଇ ହେଲେଣି ଦେବୀଙ୍କ ମଣ୍ଡପ

ଏକକୁ ଆରେକ ବଳି

ମାଆ ଆସୁଛନ୍ତି ବୋଲି ll


ଘରେ ଘରେ ଖୁସି ପାରବଣ ପଶି

ଦିବ୍ୟ ସମ୍ମୋହନ ଢାଳି

ଡାକନ୍ତି ଭକତ ସମର୍ପିତ ସ୍ଵରେ

ଶ୍ରଦ୍ଧାର ପ୍ରଦୀପ ଜାଳି

ମାଆ ଆସୁଛନ୍ତି ବୋଲି ll


ଭାଇଚାରା ପଣ ପ୍ରେମେ ଉଜ୍ଜୀବତ

ହୃଦୟରୁ ହିଂସା ନାଶି

ସାରା ବିଶ୍ୱ ଆଜି ହୁଏ ଏକାକାର

ସ୍ନେହ ଶ୍ରଦ୍ଧା ରଙ୍ଗ ବୋଳି

ମାଆ ଆସୁଛନ୍ତି ବୋଲି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action