ମାଟି ମୋର ମାଁ ଟି
ମାଟି ମୋର ମାଁ ଟି
ମୋ ଆଖିକି କିଛି ପ୍ରଭେଦ ଦିଶେନି
ମାଟି ଆଉ ମୋର ମାଁ ଟି ରେ,
ପ୍ରତିବାଦ ଭାଷା ଜଣାନାହିଁ ତାଙ୍କୁ
ସହିବା ବ୍ୟତୀତ ନିରବରେ ।।
ଜନମି ଯେବେ ମୁଁ ପଡ଼ିଲି ମାଟିରେ
ସାଉଁଟିଲା ମାଁ ଜତନରେ,
ବକ୍ଷେ ଚାପିଧରି ଉଷୁମ ପରଶେ
ଅମୃତ ଦେଲା ମୋ ଅଧରରେ ।।
କେତେ ପଡ଼ି ଉଠି ଚାଲିବା ଶିଖିଛି
ପାଦ ଥାପି ମାଟି ବୁକୁ ପରେ,
ତା ପାଣି ପବନ ରକ୍ତ ହୋଇ ବହେ
ମୋ ଶିରା, ପ୍ରଶୀରା ଧମନୀ ରେ ।।
ଆମ୍ବ ଜାମୁକୋଳି ପଣସ ପିଜୁଳି
ଖୋଜି ଖୋଜି ଦିନ ଦିପହରେ,
ବରକୋଳି ସଙ୍ଗେ କେରନ୍ଦା କଣ୍ଟେଇ
ଖାଇଛି ମୁଁ କେତେ ହରଷରେ ।।
କେତେ ବ୍ରତ ଓଷା କାକରା ଆରିସା
ମଣ୍ଡା ପିଠା ପର୍ବ ପର୍ବାଣୀ ରେ
ମାଁ ହାତ ରନ୍ଧା ସୁଆଦ ତୁଳନା
କାହିଁ ଅଛି ସାରା ପୃଥିବୀରେ ।।
ଅତି ସୁ-ଶୀତଳ ମାଁ ପଣତ ତଳ
ସ୍ଵର୍ଗ ତୁଚ୍ଛ ତାର ତୁଳନା ରେ,
ଗାଁ ବର ଓହଳେ ଝୁଲେ ସାଥୀ ମେଳେ
ଯେହ୍ନେ ମାଁ ବାହୁ ଝୁଲଣାରେ ।।
ମାଁ ଆଉ ମାଟି ଏଯାଏ ମୋ ଅଳି
ପୁରଣ କରନ୍ତି ସରାଗରେ,
ଟିକିଏ ବି ଦାଗ ଲାଗିବାକୁ ଦେଇ
ନାହାନ୍ତି କେବେ ମୋ ମରମରେ ।।
ମୋ ମାଁ ପରି ମୁଁ ମାଁ ଟିଏ ଆଜି
ହୋଇ ପାରିଛି ତା ଆଦର୍ଶ ରେ,
ଯେଉଁ ଦିନ ଥକି ଶୋଇ ପଡ଼ିବି ମୁଁ
ମିଶି ଯିବି ମାଟି ବୁକୁ ପରେ ।।
