STORYMIRROR

Sudruma Panda

Abstract Others

4  

Sudruma Panda

Abstract Others

ମାଟି ମୋର ମାଁ ଟି

ମାଟି ମୋର ମାଁ ଟି

1 min
164

ମୋ ଆଖିକି କିଛି ପ୍ରଭେଦ ଦିଶେନି

ମାଟି ଆଉ ମୋର ମାଁ ଟି ରେ,

ପ୍ରତିବାଦ ଭାଷା ଜଣାନାହିଁ ତାଙ୍କୁ

ସହିବା ବ୍ୟତୀତ ନିରବରେ ।।


ଜନମି ଯେବେ ମୁଁ ପଡ଼ିଲି ମାଟିରେ

ସାଉଁଟିଲା ମାଁ ଜତନରେ,

ବକ୍ଷେ ଚାପିଧରି ଉଷୁମ ପରଶେ

ଅମୃତ ଦେଲା ମୋ ଅଧରରେ ।।


କେତେ ପଡ଼ି ଉଠି ଚାଲିବା ଶିଖିଛି

ପାଦ ଥାପି ମାଟି ବୁକୁ ପରେ,

ତା ପାଣି ପବନ ରକ୍ତ ହୋଇ ବହେ

ମୋ ଶିରା, ପ୍ରଶୀରା ଧମନୀ ରେ ।।


ଆମ୍ବ ଜାମୁକୋଳି ପଣସ ପିଜୁଳି

ଖୋଜି ଖୋଜି ଦିନ ଦିପହରେ,

ବରକୋଳି ସଙ୍ଗେ କେରନ୍ଦା କଣ୍ଟେଇ

ଖାଇଛି ମୁଁ କେତେ ହରଷରେ ।।


କେତେ ବ୍ରତ ଓଷା କାକରା ଆରିସା

ମଣ୍ଡା ପିଠା ପର୍ବ ପର୍ବାଣୀ ରେ

ମାଁ ହାତ ରନ୍ଧା ସୁଆଦ ତୁଳନା

କାହିଁ ଅଛି ସାରା ପୃଥିବୀରେ ।।


ଅତି ସୁ-ଶୀତଳ ମାଁ ପଣତ ତଳ

ସ୍ଵର୍ଗ ତୁଚ୍ଛ ତାର ତୁଳନା ରେ,

ଗାଁ ବର ଓ‌ହଳେ ଝୁଲେ ସାଥୀ ମେଳେ

ଯେହ୍ନେ ମାଁ ବାହୁ ଝୁଲଣାରେ ।।


ମାଁ ଆଉ ମାଟି ଏଯାଏ ମୋ ଅଳି

ପୁରଣ କରନ୍ତି ସରାଗରେ,

ଟିକିଏ ବି ଦାଗ ଲାଗିବାକୁ ଦେଇ

ନାହାନ୍ତି କେବେ ମୋ ମରମରେ ।।


ମୋ ମାଁ ପରି ମୁଁ ମାଁ ଟିଏ ଆଜି

ହୋଇ ପାରିଛି ତା ଆଦର୍ଶ ରେ,

ଯେଉଁ ଦିନ ଥକି ଶୋଇ ପଡ଼ିବି ମୁଁ

ମିଶି ଯିବି ମାଟି ବୁକୁ ପରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract