ମାଟି ବୈକୁଣ୍ଠ
ମାଟି ବୈକୁଣ୍ଠ
ଆ ମାଟିରେ କରିବା ଘର,
ଝାଟି ମାଟିର କୁଡ଼ିଆ ହେଲେ
ଅଟେ ସରଗ ପୁର,
ସେ ଘର ବୈକୁଣ୍ଠ ପୁର..!
ତା ଧୂଳି ମାଟି, ବାଲି ଚକଟି,
ଗୋବର ଲିପି,ତୋଳିବା ବାଲି ଘର,
ସେ ଘର କୁବେର ପୁର..!
ଚାଲ ଗଢିବା ସ୍ବପ୍ନର ଘର,
ସଢ଼େଇ ଆଣି, ବାଲିରେ ଭରି,
ବାଲିରେ ଭାତ, ବାଲି ତିଅଣ,
ଖାଇବା ତୋର ମୋର,
ତୁ କନିଆଁ ମୁଁ ତୋ ବର..!
ସୁରୁଜ ଯହିଁ ଆଲୁଅ ଦିଏ,
ପବନ ଆପଣାର,
ସଂଜ ନଇଁଲେ, କୁଆଁରୀ ଚାନ୍ଦ
ଦେଖାଏ କେତେ ଛନ୍ଦ,
ଛାଇ ଆଲୁଅ, ବଡ଼ ସରସ,
ହସେ ମନୁଆ ଚାନ୍ଦ..!
ବୈଶାଖ ମାସ ଝାଂଜି ପବନ
ଆସଇ ଯେବେ ମାଡି,
ଛପା ବିଛେଇ ଗଡି ପଡିଲେ
ଆସଇ ନିଦ ମାଡି,
ଚଇତି ବାଆ, ଧୀର ପବନ,
ଛାଡି ଯିବାକୁ ନ ହୁଏ ମନ,
ସେ ପରା ଇନ୍ଦ୍ର ପୁର,
ନାନା ସପନ ଉଙ୍କି ମାରେ
ସାଜେ ସପନ ପୁର..!
ଆଷାଢ଼ ଆସେ, ମେଘ ଦୋଳିରେ
ଆଣେ ସେ ରଜ ଗୀତ,
ଧରଣୀ ରାଣୀ ଭାରି ସିଆଣୀ
କୁଆଁରୀ ଆଖି ସ୍ବପ୍ନ,
ଝୋଟି ଚିତାରେ, ପୋଡ଼ ପିଠାରେ
ହସଇ ରଜ ମଉଜ..!
ଶ୍ରାବଣ ଆସେ, ବରଷା ମାସେ
ଘୋଟିଲେ କଳା ମେଘ,
ସେ ଘର ବାରି ଦାଣ୍ଡ ଦୁଆର
ନାନା ଜାତିର ଫୁଲ,
ଗମ୍ହା ପୁନେଇଁ ଆସଇ ପୁଣି,
ଗମ୍ହା ଝୋଟି ମୁରୁଜ,
ଢାଉ ରଂଗରେ, ଝୋଟି ଚିତାରେ
ହସେ ଜହ୍ନି କାକୁଡି ଫୁଲ..!
ଭାଦ୍ରବ ଆଣେ ଖୁଦୁରୁକୁଣୀ
ଓଷା ଆଖଡ଼ା ନାଚ,
ସବୁ ଝିଅଙ୍କ ନିଦ ହଜାଏ
ତଅପୋଇ ସଂଗୀତ,
ପାଞ୍ଚ ପାଳିରେ ପଞ୍ଚମ ତାନ,
ମନ ହୁଏ ଉଚ୍ଛନ୍ନ,
ସେ ନାଚ ଦେଖି, ସଭିଏଁ ଖୁସି
ସ୍ମୃତି ରଚଇ ଚିହ୍ନ..!
କାର୍ତ୍ତିକ ପୁଣି ଦେଖାଏ ଆଣି
କୁଆଁରୀ ଆଖି ସ୍ବପ୍ନ,
ସପନ ସବୁ ଉହୁଁକି ଉଠେ
ଦେଖିଲେ ସେଇ ଜହ୍ନ,
ଫୁଲ ବଉଳ ବେଣୀ ଗୀତ,
ଅଭୂଲା ଜୀବନ ସଂଗୀତ,
ହସେ ଫୁଲେଇ ରାଣୀ ଚାନ୍ଦ,
ଚାନ୍ଦ ବଂନ୍ଦଇ ସେ ଚନ୍ଦ୍ର ମୁଖୀ
ଲାଜେ ସାଜଇ କଇଁ ଫୁଲ..!
ଆସେ ମାର୍ଗଶିରର ମାସ,
ଓଡ଼ିଆ ଜାତି ସରସ,
ମହା ଲକ୍ଷ୍ମୀଙ୍କ ମାଟି ବୈକୁଣ୍ଠ
ଗୁରୁବାରର ଦିବସ,
ଘରେ ମାଣ ବସାର ପର୍ବ,
ଝୋଟି ଚିତାରେ ଲକ୍ଷ୍ମୀଙ୍କ ପାଦ
ଓଡ଼ିଆଣୀର ଗରବ,
ଗୋବର ଲିପି, କାନ୍ଥରେ ଝୋଟି
ପାଳଇ ସେଇ ବ୍ରତ,
ସେଇ ବ୍ରତରେ ମହାପୁଣ୍ୟ,
ଓଡ଼ିଆ ଜାତି ଐତିହ ସେହି
ବଢେ ଓଡ଼ିଆଙ୍କ ମାନ,
ସେ ତ ମାତୃଶକ୍ତିର ମାନ୍ୟ..!
ସେ ମାଟି ମାଆ, ମାଟିର କନ୍ୟା,
ମାଗେ ମମତା ମୁଲ,
ମାଟିରେ ସ୍ନେହ, ମାଟି ସରାଗ
ଛାଡି ବଡ଼ ଦେଉଳ ମୋହ,
ଗରବ ଯେତେ ଖରବ ହୁଏ
ଉଡେ ବଡ଼ ଦେଉଳ ନେତ,
ଗୋଟିଏ ମାଆ ଆମେ ସନ୍ତାନ
ନାହିଁ ଉଚ୍ଚ ନୀଚ୍ଚର ଭେଦ,
ଆମ ଉତ୍କଳୀୟ ସ୍ଵଭାଵ,
କାଳିଆ ରାଜା ଉଡାଇ ବାନା,
ବଢ଼ାଇ ମାନ ସମ୍ମାନ,
ଆମେ କୃଷି ପ୍ରଧାନ ଦେଶ,
ଆମ କୃଷି କର୍ମଣି ରାଜ୍ୟ
କୃଷକ ହୋଇ ତୋଷିବା ଆମେ
ଆମରି ଜନ ରାଜ୍ୟ,
ଏଠି ଆମରି ମାଣଘର,
ଘରେ ପଢୁ ଲକ୍ଷ୍ମୀପୁରାଣ,
ଘର ସେ ନୁହେଁ ସରଗ ସମ,
ଅଟେ ବୈକୁଣ୍ଠ ଧାମ..!