ମାଣିକପାଟଣାରେ ଦିନେ
ମାଣିକପାଟଣାରେ ଦିନେ
ନୀଳାମ୍ବୁ ଚିଲିକାରେ ଖରାପଡି
ଚିକଚିକ କରୁଥିଲା ଚୁନା ଚୁନା
ଢେଉ, ସମୁଦ୍ର ଆଡୁ ବହୁଥିଲା
ଚହଲା ପବନ, ପାଣିରେ ଟବଟବ
ହୋଇ ଖେଳୁଥିଲେ ଡଲଫିନ
ଉଡି ବୁଲୁଥିଲେ ମାଳମାଳ ପକ୍ଷୀ।
ସାତପଡାରୁ ଭାସିଚାଲିଥିଲା ଡଙ୍ଗା
ମୁହାଣ ନିକଟ ମାଣିକପାଟଣା।
ଚହଲା ପାଣିରେ ଭୁଟୁଭୁଟି ଶବ୍ଦ,
ଚଢେଇଙ୍କ କାକଳି, ମାଛଧରାଳି
ଧୀବରଙ୍କ ଗୀତ ମନ ମୋହୁଥିଲା
ଶିହରଣ ଖେଳୁଥିଲା ଦେହରେ !!
ମଉଳି ଆସୁଥିଲା ଦିନର ଖରା
ଡଙ୍ଗା ଛୁଇଁଲା ମାଣିକପାଟଣା ।
ମୁହାଣରୁ ଆସୁଥିବା ଜୁଆରିଆ
ପାଣି ରାସ୍ତାକୁ ଉଛୁଳୁଥିଲା।
ଚିଲିକା ତୀରଦେଶରେ ଶୋଭା
ବଢାଉଥିଲା ସ୍ୱର୍ଣ୍ଣାଭ ବାଲୁକାରାଶି,
ଝାଉଁ , କାଜୁ ଓ ନଡିଆ ଗଛର ବଣ,
କୁଣ୍ଡଳେଶ୍ୱରଙ୍କ ପ୍ରାଚୀନ ଦେଉଳ,
ଐତିହ୍ୟ, ସଂସ୍କୃତି ଓ କିମ୍ବଦନ୍ତୀର
ସ୍ମାରକୀ ଓ ଦିବ୍ୟ ଅନୁଭବ।
ଦିନ ଥିଲା ମାଣିକପାଟଣାରେ
ଗଢି ଉଠିଥିଲା ପ୍ରାଚୀନ ବନ୍ଦର
ଚିଲିକାରେ ଭାସୁଥିଲା ବୋଇତ,
ଦେଶବିଦେଶକୁ ବ୍ୟାପିଥିଲା
ଓଡ଼ିଆ ପୁଅଙ୍କ ନୌବାଣିଜ୍ୟ।
ମଧ୍ୟଯୁଗରେ ଗଜପତି ମହାରାଜା
ପୁରୁଷୋତ୍ତମ ଦେବଙ୍କ କାଞ୍ଚି
ଅଭିଯାନ ଓ ଦହି ବିକାଳି ମାଣିକ
ଗଉଡୁଣୀଙ୍କ ଭାବଭକ୍ତିର ସ୍ମୃତିରେ
ଆଜି ବି ମହକୁଛି ଗାଆଁ ମାଟି।
କିମ୍ବଦନ୍ତୀ କହେ ଓଡ଼ିଆ ଜାତିର
ଆରାଧ୍ୟ ସ୍ୱୟଂ ଜଗନ୍ନାଥ, ବଳଭଦ୍ର
କଳାଧଳା ଘୋଡା ଚଢି କାଞ୍ଚି
ଯୁଦ୍ଧରେ ସହାୟତା ଲାଗି
ଆଗେ ଆଗେ ଯାଇଥିଲେ।
ସୈନ୍ୟସାମନ୍ତ ନେଇ ପଛରେ
ଆସୁଥିଲେ ଗଜପତି।
ଚିଲିକା ତଟରେ ବସି ଦହି ବିକୁଥିଲା
ମାଣିକ, ଅଟକିଥିଲେ ଜଗତଠାକୁର
ଦହି ପିଇ ଶୋଷ ମେଣ୍ଟାଇ ଥିଲେ
ଯିବା ବେଳେ ଦେଇଥିଲେ ରତ୍ନମୁଦି
କହିଲେ, ପଛରେ ଆସୁଛନ୍ତି ରାଜା
ମୁଦି ଦେଖାଇବ ପାଇଯିବ ପାଉଣା।
କାଞ୍ଚି ଅଭିଯାନରେ ଆସୁଥିବା ଗଜପତିଙ୍କୁ
ରତ୍ନମୁଦି ବଢାଇ ଦେଇ ମାଣିକ ମାଗିଥିଲା
ପାଉଣା । ଜଗନ୍ନାଥଙ୍କ ରତ୍ନମୁଦିକୁ ଚିହ୍ନି
ମାଣିକକୁ ଧନ୍ୟ ଧନ୍ୟ କହି ରାଜକୀୟ
ଉପହାର ଦେଇଥିଲେ ପାଞ୍ଚ ଗାଆଁ
ନାଆଁ ରଖିଲେ "ମାଣିକପାଟଣା"।
ଲୁଣିପାଣିର ଚିଲିକା ତଟରେ ଆଜି
ପ୍ରକୃତିର ବିସ୍ମୟ ହୋଇ ରହିଛି
ଏକ ମଧୁର ଜଳକୁଣ୍ଡ , ଯେଉଁଠି
ଦହି ପିଇ ହାତ ଧୋଇଥିଲେ
ଭାବମୟ ଜଗତଠାକୁର !!
ମାଣିକପାଟଣା ଗାଆଁର ପ୍ରାଚୀନ
ସଂସ୍କୃତି , ଯାତ୍ରା ଓ ସାରସ୍ବତ
ଅ।ସର ଦେଖି ସେଦିନ ଫେରିଲୁ
ସଡ଼କ ପଥରେ। ପଛରେ ଛାଡି
ଆସିଲୁ ଶୋଭାମୟୀ ଚିଲିକା,
ଐତିହ୍ୟ, ସଂସ୍କୃତି ମହକଭରା
କିମ୍ବଦନ୍ତୀର ଗାଆଁ।
*******