STORYMIRROR

Biswanath Nayak

Tragedy

3  

Biswanath Nayak

Tragedy

ମାନିନୀ

ମାନିନୀ

1 min
275


ଜଳିବାର ଥିଲା

ବିରହରେ ଯଦି

ଗୋପନରେ କିଆଁ ଜଳିଲ,

ନିଜ ଆଖିଲୁହ

ନିଜେନିଜେ ପିଇ

ଅଭିମାନେ କିଆଁ ରହିଲ। 

ଦେଇଥିଲ କଥା

କାନ୍ଦିବନି ବୋଲି

ହସିହସି ଦେଲ ବିଦାୟ,

ଆଜି ମୁଁ ଦେଖୁଛି

ତୁମ ଆଖିଲୁହ

ରଚିବ କି ସତେ ପ୍ରଳୟ!

ଭାବୁଛକି ତୁମେ

କିପରି ପାଇଲି

ତୁମ ଆଖିଲୁହ ବାରତା,

ଦେହ ଆମ ଦୁଇ

ଆତ୍ମା ଏକ ପରି

ଭୁଲିଗଲ କିବା ଏକଥା?

ତୁମେତ ଜଳୁଛ

ଯମୁନା ସେପାରେ

ମୁଁ ଅଛି ଯମୁନା ଏପାରେ,

ନଜଳି ବି ଆଜି

ଏଠି ମୁଁ ଜଳୁଛି

ତୁମ ଜ୍ଵଳନର ନିଆଁରେ। 

ମନପକ୍ଷୀ ତୁମ

ବିଳପି ଉଠୁଛି

ଝୁରେ ତୁମ ପ୍ରୀତିଝରଣା,

ତୁମଠୁ ଦୂରରେ

ରହିଅଛି ବୋଲି

ଜ୍ଵଳନ କି ତାର ପାଉଣା?

ପକ୍ଷ ଥାନ୍ତା ଯଦି

ମୋ ଆଖିଲୁହର

ଉଡିଉଡି ସିଏ ଯାଆନ୍ତା,

ଲିଭାଇବାକୁ ସେ

ବିରହ ଅନଳ

ସଦା ତୁମ ପାଶେ ରହନ୍ତା। 

ତୁମ ମନକୁଞ୍ଜ

ନିଭୃତ କୋଣରେ

ସଦା ମୋର ବଂଶୀ ବାଜୁଛି,

ଅନ୍ତରର ଚକ୍ଷୁ

ଖୋଲିଲେ ଦେଖିବ

ସଦା ତୁମପାଶେ ମୁଁ ଅଛି। 

ଉଡିଉଡି ଯାଆ

ରେ ମନମଧୁପ

ମାନିନୀକୁ ଦେବୁ ବାରତା,

ମୋତେ ମନକୁଞ୍ଜ

ଭିତରେ ଦେଖିଲେ

ନଥିବ ଆଉ ଏ ଦୂରତା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy