STORYMIRROR

Hrushikesh Satpathy

Abstract

3  

Hrushikesh Satpathy

Abstract

ମାନବିକତାର ମନ୍ତ୍ର

ମାନବିକତାର ମନ୍ତ୍ର

1 min
312

ମା' ଗୋ,ସୀମନ୍ତିନୀ ବୈଦିକ ନନ୍ଦିନୀ

     ହୈମ ହିମ ହିନ୍ଦୁଭୂମି,

ସଭ୍ୟତା ସଂସ୍କୃତି   ନମ୍ରତା ସଂହତି

   ଭୂଲୋକ ଭବ୍ୟ କାହାଣୀ ।


ପ୍ରଶସ୍ତ ଭୂଗୋଳ ବିସ୍ତୀର୍ଣ୍ଣ ବୈକୁଣ୍ଠ

    ସ୍ୱୟଂ ସଂସ୍କୃତ ଭାରତ,

ସତ୍ୟର ସନ୍ଧାନୀ, ଓଁକାର ନନ୍ଦିନୀ

    ଜନନୀ,ପବିତ୍ର ତୀର୍ଥ !


ଗର୍ବ ଗଉରବ    ସ୍ମୃତି ସଉରଭ

    ଅପଟାନ୍ତର ଗରିମା,

ବିଶ୍ୱ ବିଖ୍ୟାତ ତୋ' ମାଟିର ମହକ

    ଅନ୍ନପୂର୍ଣ୍ଣା ଅନୁପମା ।


ଇତିହାସ ଯା'ର     ସ୍ୱପ୍ନିଳ ସ୍ବର୍ଣ୍ଣାଭ

   ଶୌର୍ଯ୍ୟ ବୀର୍ଯ୍ୟ ରଙ୍ଗଶାଳା,

ସେଇ ମୋ' ମାଟି ମା' ତନ୍ମୟ ପ୍ରତିମା

    ବନ୍ଦନାର ବର୍ଣ୍ଣମାଳା।


ବେଦ ଜନ୍ମପୀଠ   ମନ୍ଦିର ଓ ମଠ

   ମାଳ ମାଳ ତୋ' ବକ୍ଷରେ,

ସାର୍ବଭୌମ ଗୀତା  ଗଣତାନ୍ତ୍ରିକତା

   ଶୋଭା ପାଏ ସ୍ବର୍ଣ୍ଣାକ୍ଷରେ ।


ମୁଁ ତ ଅର୍ବାଚୀନ ତୋ' ସନ୍ଥ ସନ୍ତାନ

   କି ଦେଇ ପାରିବି ତୋତେ ?

ସତତ ସନ୍ତ୍ରାସ-  ବାଦ ସମୁଦ୍ରରେ

   ମନ୍ଥିତ ହେଉଛି କେତେ !


ବିବର୍ତ୍ତବାଦର     କ୍ରମ ବିବର୍ତ୍ତନେ

    ତୋ' ବକ୍ଷ କ୍ଷତ ବିକ୍ଷତ,

କେବେ ଭାବିଥିଲୁ ହେଉ ତୋ' ସନ୍ତାନ

    ସତ୍ୟ ଶାନ୍ତି ବିବର୍ଜିତ ??


ଦୁର୍ବହ ଦୁର୍ବାକ୍ୟ   ଦଙ୍ଗା ଦୁର୍ନିରୀକ୍ଷ

     ଦୁର୍ନିବାର,ଦୁର୍ନିମିତ୍ତ,

କେବେ ସ୍ୱପ୍ନିଥିଲୁ ଭାଇ ଭାଇ ହେବେ

     କ୍ଷତିକାରକ ଦୁର୍ଦ୍ଦାନ୍ତ ??


ମାନବବାଦର   ପବିତ୍ର ପଣତେ

   ତୋ' ସୀମନ୍ତ ଆଚ୍ଛାଦିତ,

ଜାତି,ବର୍ଣ୍ଣ ଭେଦ ସଂକୀର୍ଣ୍ଣତା ପଣ

   ନୁହେଁ ତୋ' ଆତ୍ମାର ମନ୍ତ୍ର ।

    

ନୁହେଁ ହିନ୍ଦୁ ନୁହେଁ ଶିଖ୍ ମୁସଲମାନ

   ନୁହେଁ ଜୈନ ନୁହେଁ ବୌଦ୍ଧ,

ମୁଁ ମାତ୍ର ମଣିଷ   ମାନବିକତାର

   ମାନ୍ୟତାରେ ସ୍ୱୟଂସିଦ୍ଧ ।


ଭାରତମାତାର     ଜୟଜୟକାର

   ମୋ' ପାଇଁ ଯଥେଷ୍ଟ ନୁହେଁ,

ସୂର୍ଯ୍ୟୋଦୟ ଠାରୁ ସାୟଂକାଳ ଯାଏ

    ଜନତାର ଜୟ ଗାଏ ।


ନୁହେଁ ମୁଁ ବିଜେପି  ନୁହେଁ ମୁଁ ବିଜେଡି

   କଂଗ୍ରେସ ଅବା କମ୍ୟୁନିଷ୍ଟ,

ମୁଁ ଯେ ଭାରତୀୟ ମୋ' ରକ୍ତର ରଙ୍ଗ

    ତ୍ରିରଙ୍ଗା ରଙ୍ଗେ ସୁମିଷ୍ଟ ।


ଗଣତନ୍ତ୍ରର ଏ  ସ୍ମୃତି ଅବସରେ

  ହେ ମୋର ଭଉଣୀ ଭାଇ,

ଆସ ଗାଇଯିବା ଏକତାର ମନ୍ତ୍ର

  ସଙ୍ଗୀତେ ସଂହତି ଦେଇ ।


ସର୍ବେ ଭାରତୀୟ ଭାରତୀୟ ରଙ୍ଗେ

    ନିଜକୁ ରଂଗାଇଦେବା,

ଜାତି ଧର୍ମ କର୍ମ  ବର୍ଣ୍ଣ ନିର୍ବିଶେଷେ

    ପ୍ରୀତି ସଙ୍ଗୀତ ଗାଇବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract