ମାନବିକତାର ଆତ୍ମହତ୍ଯା
ମାନବିକତାର ଆତ୍ମହତ୍ଯା


ସରମରେ ମାନବିକତା କରିଛି ଆତ୍ମହତ୍ଯା
ବହୁଦିନୁ ହଜିଯାଇଛି ସମ୍ବେଦନଶୀଳତା
ସବୁ ସୀମା ସରହଦ ଟପି ଯାଇଛି ବର୍ବରତା
ଜିଅନ୍ତା ମଣିଷ ତ ଏଠି ନିତି ହୁଏ ହଟହଟା
କିଏ ବା ପଚାରେ ତା'ର ମହାଯାତ୍ରା କଥା ?
ସଭିଏଁ ମସଗୁଲ୍ ଆପଣା ଆପଣା ଧୂନ୍ ରେ
ଲଭୁଛନ୍ତି ପୈଶାଚିକ ତୃପ୍ତି ଆନର ଦୁଃଖରେ
ଜୀବନ ସଢୁଛି ଅସହ୍ୟ ଯାତନା ଜ୍ବାଳାରେ
ବିଳାସୀ ତୋଳୁଛି ନଗ୍ନ ଚିତ୍ର ବଡ ଉତ୍କଣ୍ଠାରେ
କରିବ ତାହାକୁ ପ୍ରଦର୍ଶନ ବିଶ୍ବ ଦରବାରରେ ।
ଦାନବତାର ଚାଲିଛି ଅଘୋଷିତ ପ୍ରତିସ୍ପର୍ଦ୍ଧା
କିଏ କରେ ସିଧା ସଳଖ ପ୍ରସାରଣ
କିଏ ଦିଏ ଲମ୍ବା ଗମ୍ଭୀର ଭାଷଣ
ବିଚରା ଜୀବନ ଚିରକାଳ ପ୍ରତାରିତ
ଅଥଚ ଆମର ବିଧି ବ୍ୟବସ୍ଥା ଅବିଚଳିତ !
ଏସବୁ ଆଉ ଏମିତି କେତେ କାଳ ଚାଲୁଥିବ
ଗୋଳିଆ ପାଣିରେ ରାଜନୀତି ହେଉଥିବ
ଆରୋପ ପ୍ରତ୍ୟାରୋପରେ ସମୟ ବିତୁଥିବ
ଜାତିର ଇଜ୍ଜତ ମହତ ମାଟିରେ ଲୋଟୁଥିବ
ଆମେ ସବୁ ଦେଖି ଜାଣି ବି ରହିଥିବା ନୀରବ ?