ମାନ ନା ଅଭିମାନ
ମାନ ନା ଅଭିମାନ
କରି କରାଉଛ ବୋଲି, ନିଜ ଇଚ୍ଛା ପୂର୍ଣ୍ଣ କରି,
ହାରି, ହରାଉଛ ପୁଣି ଜଗତରେ ପଡେ ହୁରି,
ଏକା ତୁମେ 'ହରି',
ଏ ଜୀବନ ଯିବ ଚାଲି, ଜିଭେ ନାମ ଧରି |
ଧରି ଧରାଉଛ ମାୟା, ଧରଣୀ ବୁକୁରେ କାୟା,
ସାରି, ସରାଉଛ ପୁଣି ସୁଖର ସେ ସ୍ତବ୍ଧ ଛାୟା,
ସବୁ ତୁମ ଦୟା,
ଦୟାମୟ, ତୁମ ପ୍ରେମେ ଏ ଜଗତ ବାୟା |
ପିଇ, ପିଆଇଛ ପୁଣି ପ୍ରିୟଜନେ ପିୟୁଷ,
ଖାଇ, ଖୁଆଇଛ କ୍ଷୀର, ବନ୍ଧୁଜନେ ବିଶେଷ,
ମୁଁ ସିନା ହେ ନିମିଷ,
ତୁମେ ପ୍ରଭୁ କୋଟି ବ୍ରହ୍ମ ଦିବ୍ୟଜ୍ୟୋତି ପୁରୁଷ |
ସହିଛ, ପୁଣି ସହିବାକୁ ମନୋବଳ ଦେଇଛ,
ଭେଦ କରି ବେଦନାକୁ ଲହୁଣୀ ବି ଲେପିଛ,
କଚ୍ଛପ ପୁଣି ମତ୍ସ୍ୟ,
ବରାହ, ସିଂହବତାରେ ପ୍ରାଣୀ ରୂପେ ବିହିଛ |
ଦୁଃଖ ଦେଇ ନିଜେ ପୁଣି ଦୁଃଖୀ ହୋଇ ଦେଖଯେ,
ନାଟକ ରଚି ନାଟ୍ୟକାର, ନଟଖଟ ସାଜଯେ,
ସଂସାର ଦୁଃଖ ତେଜ ହେ,
ମୁଁ ନିରୀହ ତୁମେ ମୋର ପ୍ରଭୁ, ଟିକେ ହେଜ ହେ |
ମରିପାରୁନାହିଁ ନିଜେ ମାରିନାହିଁ କାହାକୁ,
ଅନାଇଛି ଅନାଦିଚରଣ, ସାହାରାହାକୁ,
ଶିରେ ଦେଇ କରକୁ,
କର୍ମଫଳ କଳେବର ଦେଇଛି କପାଳକୁ |
ଜୀବେ ଦେଇ ଜୀବନ, କଷିଛି ଯେ କଷଣ,
ଧନୀକୁ ଧରାଇ ଧନ, ରଖିଛି ମାନୀର ମାନ,
ନରରୂପେ ନାରାୟଣ,
ସଦାରଖ ସତ୍ୟ ମାନ, ଏହା ମୋ ଅଭିମାନ |
ମୁଁ ସୁଦେଷ୍ଣା, ତୁ ମୋ କ୍ରିଷ୍ଣା, ମୁଁ ଶରୀର ତୁ ଆତ୍ମା,
ପଞ୍ଚଭୁତେ ଗଢ଼ା ମୁଁ ଯେ, ତୁ ମୋ ପରମାତ୍ମା,
ତୁ ସ୍ୱୟଂ ପରଂବ୍ରହ୍ମ,
ତୋ ପଦରେଣୁ ମୁଁ,କରେ ତୋତେ କୋଟି ପ୍ରଣାମ |
