ମାମୁଁ
ମାମୁଁ
ମାମୁଁ ଡାକଟିଏ ଅଟଇ ମଧୁର
ପୁଣି ଅଟେ ମହା କ୍ରୁର
ବୋଉ ବାପଘର ମୋର ମାମୁଁଘର
ନୁହଇଁ ତ ବେଶି ଦୂର ।।
ବିଭା ବ୍ରତ କାଳେ ପୂଣ୍ୟ ପର୍ବ ବେଳେ
ପୁଣି ଦେଖି ଭଲ ମନ୍ଦ
ମାମୁଁ ମୋ ଆସନ୍ତି କେତେ କଣ ବାନ୍ଧି
ମନରେ କେତେ ଆନନ୍ଦ ।।
ଆଉ ଗୋଟେ ମାମୁଁ ସେଇ ଜହ୍ନମାମୁଁ
ରାଇଜ ଯାକର ମାମୁଁ
ପିଲାବେଳେ ମାଆ ଚିହ୍ନେଇ ତ ଥିଲା
ଏଇ ପରା ଜହ୍ନମାମୁଁ ।।
ପୁଣି ଗୋଟେ ମାମୁଁ ଥାନାରେ ବସିଛି
ପୋଲିସ ମାମୁଁ ତା ନାଆଁ
ଭଲରେ ମନ୍ଦରେ ଗର ଗର ହୁଏ
ଇଲାକା ଯାକ ତା ଗାଆଁ ।।
ମଥୁରା ନଗର ମାମୁଁ କଂସାସୁର
ଥିଲା ଭଣଜା ବଇରୀ
ଗର୍ବ ଅହଙ୍କାର ହେଲା ତାର କାଳ
ବିନା ଅସ୍ତ୍ରେ ଗଲା ମରି ।।
ଥିଲା ଗୋଟେ ମାମୁଁ ଶକୁନି ତା ନାମ
ଶହେ ଭଣଜାର ଶିରୀ
ପ୍ରତିଶୋଧ ପାଇଁ ସେ ମହାଭାରତ
ରଚି ପ୍ରାଣ ନେଲା ହରି ।।
ସବୁ ମାମୁଁ ଠାରୁ ମୋର ମାମୁଁ ଭଲ
କେତେ କଅଁଳିଆ କଥା
ଅଭିମାନ କଲେ ଭଣଜା ଭାଣିଜି
ଦିଏ ତାଙ୍କୁ କେତେ ବ୍ୟଥା।।
ଗେହ୍ଲେଇ ଚୁଲେଇ କେତେ କଥା କହି
କିଣି ଦ୍ୟନ୍ତି ନାନା ଦ୍ରବ୍ୟ
ସବୁ ବେଳେ ମନେ ଥାନ୍ତି ପୂଜ୍ୟ ସ୍ଥାନେ
ଦେଇ ତାଙ୍କ ପରାଭବ ।।
