ମାଆ
ମାଆ
ସ୍ନେହ ଶ୍ରଦ୍ଧା ଭରା ଅନନ୍ୟ ପସରା
ଧରି ଉଭା ହୋଇ ଯିଏ
ଆଦର ଆଦର୍ଶ ବାତ୍ସଲ୍ୟ ପରଶ
ପ୍ରକାସନ୍ତି ନାନା ଭାବେ ।
ସେହି ହିଁ ଜନନୀ ଗରଭ ଧାରିଣୀ
ଛୋଟ ରୁ ବଡ କରାଇ
ପବିତ୍ର ଉତ୍ସାହ ଉତ୍ତମ ବିଚାର
ଥାଆନ୍ତି ଜନେ ଶିଖାଇ ।
ଜୀବନ ଉତ୍ସର୍ଗ କରି ସେ ଥାଆନ୍ତି
ସଦା ସନ୍ତାନ ସୁହିତେ
ଯାହା କୋଳେ ଖେଳି ଆନନ୍ଦେ ଉଚ୍ଛୁଳି
ଶିଶୁ କାଳ ଆମ୍ଭ ବିତେ ।
ପୃଥିବୀ ର ସମ ସହନ ଶକତି
ଅସୀମ କରୁଣା ବତୀ
ଦୁଃଖ ଶୋକ ତାପ ପ୍ରବାହ ଅମାପ
ଦୁରାନ୍ତି ସେ ଭୟ ଭୀତି ।
ସେହି ହିଁ ଜନନୀ ସ୍ନେହ ମନ୍ଦାକିନୀ
ପ୍ଲାବିତ କରାନ୍ତି ନିତି
ଆଶୈଶବୁ ଚିର ଆନନ୍ଦେ ମଧୁରେ
ତାଙ୍କ କୋଳେ ଯାଏ ବିତି ।
ଯେତେ ସବୁ ରାଗ , ରୋଷ ଅନୁରାଗ
ଅଭିମାନ ଅରଦଳି
ଆଦରେ ସେହି ହିଁ ଥାଆନ୍ତି ଘୁଞ୍ଚାଇ
ମୁଖ ରେ ଆନନ୍ଦ ଭରି ।
ମାଆ ସ୍ବର ରେ ହିଁ ନିହିତ ରହିଛି
ମଧୁର ଭାବ ମାଧୁରୀ
ଶିଶୁର ଦରୋଟି ଓଠରୁ ପ୍ରଥମେ
ଆସି ଥାଏ ଯାହା ଝରି ॥
ସହି ସବୁ କଷ୍ଟ ଶିଶୁର ସତତ
ସାଧୁ ଥାଏ ଯିଏ ହିତ
ଯା'ର ସେବା ଯତ୍ନେ ଶୈଶବ ଜୀବନେ
ଶିଶୁ ହୁଅଇ ପ୍ରସ୍ତୁତ ॥
ଅତି ଅସହାୟ କାଳେ ଯେ ସହାୟ
ହୋଇ ଆପଣା ପିଲାକୁ
ମଣିଷ ପରିକା ମଣିଷ କରିବା
ପାଇଁ ସତତ ଶିଶୁକୁ ॥
ପାଳି ପୋଷି ନିତି ଆନନ୍ଦ ଜାଗୂତି
ଯୋଗାନ୍ତି ଶିଶୁ ହୂଦୟେ
ଜନନୀ ତ ସେହି ମାଆ ବୋଲି କହି
ଶିଶୁ ତାହାଙ୍କୁ ଚିହ୍ନାଏ ॥
ଶିଶୁର ପ୍ରଥମ ଶିକ୍ଷକ ହିଁ ମାଆ
ଖାଇବା ପିନ୍ଧିବା କାମ
ସହିତ ସେହିତ ଶିଖାନ୍ତି ଅଶେଷ
ବହୁ ବିଧ ଗୁଣ ଗ୍ରାମ ॥
ସେନେହ ଆଦର ମଧୁମୟୀ ଝର
ଝରାଇ ଯେ ଅବିରତ
ଶିଶୁ ସୁ କଲ୍ଯାଣେ ଆପଣା ମରମେ
ଚିନ୍ତନ୍ତି ଯିଏ ସତତ ॥
ଯାଙ୍କ ଶୁଭାଶିଷେ ସାଧନ୍ତି ସମସ୍ତେ
ଅସାଦ୍ଧ୍ଯ କରମ ମାନ
ଯାଙ୍କ ସୁପ୍ରସନ୍ନେ ପାନ୍ତି ଲୋକ ମାନେ
ଆଦର ସ୍ନେହ ସୁନାମ ॥
ସ୍ନେହ ସଉହାର୍ଦ୍ଧ୍ଯ ଆଦର ଯତନ
ରାଗ ରୋଷ ଅଭିମାନ
ଘେନି ପୁରାଅନ୍ତି ଶିଶୁର ଆକାଙ୍କ୍ଷା
ଯାହା କୋଳେ ପିଲାଦିନ ॥
ବିତଇ ସବୁରି ଆନନ୍ଦ ଆହରି
ଦେଇ ଅଭିନବ ଶିକ୍ଷା
ସୁସଂସ୍କାର ଘେନି ମାର୍ଜିତ କରନ୍ତି
ହୂଦୟେ ତ୍ଯାଗ ତିତିକ୍ଷା ॥
ପରି ବହୁବିଧ ସଦଗୁଣାୟୁଧ
ବିତରି ନିଜ ଜୀବନେ
ସୁରକ୍ଷିତ ଯିଏ କରନ୍ତି ସହଜେ
ପ୍ରତ୍ଯେକ ମାନବ ଗଣେ ॥
ସେହି ହିଁ ଜନନୀ ସୁଯଶ ଦାୟିନୀ
ପୂଥିବୀ ଠାରୁ ମହାନ
ପ୍ରଣାମେ ତାହାଙ୍କୁ ଭକତି ଅନ୍ତରେ
ଲଭଇ ଦିବ୍ଯ ଆହ୍ବାନ ॥
ଯାହାଙ୍କ ପ୍ରସାଦେ ବିପଦ ଆପଦେ
ସଂଚରେ ଦିବ୍ଯ ସାହସ
ସେହି ହିଁ ଜନନୀ ମାଆ ସୁହାସିନୀ
ମୁଖ ଚିର ହସ ହସ ॥
