STORYMIRROR

Aishwarya Mishra

Inspirational Children

4  

Aishwarya Mishra

Inspirational Children

ମାଆ

ମାଆ

1 min
205


ମାଆ ଅଟେ ପରା ମମତା ମନ୍ଦିର

ହୋଇବ କିଏ ତା' ପରି

ସଂସାର ଭିତରେ ସବୁଠୁଁ ନିଜର

ନୁହଁଇ କିଏ ତା' ସରି।


ଭୋକ ଜାଣି ସଦା ଖୁଆଇ ଦିଏ ସେ

କୋଳେ ତା' ଦିଏ ଶୁଆଇ

ମନ ଦୁଃଖ ଥିଲେ କୋଳେଇ ନେଇ ସେ

ଆଦରେ ଦିଏ ବୁଝାଇ ।


ରାତି ନ ପାହୁଣୁ ଶେଯ ଛାଡ଼ି ସିଏ

ଘରକାମରେ ତ ଲାଗେ

କି ଝଡ଼ି ବତାସ ଅବା ଖରା ଶୀତ

ମୁଣ୍ଡ ନୁଆଁନ୍ତି ତା' ଆଗେ ।


ସନ୍ତାନ ମଙ୍ଗଳ କାମନା କରିଣ 

ରଖେ ଉପବାସ ବ୍ରତ

ବାର ମାସରେ ତା' ତେର ପୂଜା ହୁଏ

ଭଳି ଭଳି ଓଷା ବ୍ରତ ।


ଥକି ପଡ଼ିନାହିଁ ଜୀବନରେ କେବେ

ଯେତେ ବି ଆସୁ ବିପତ୍ତି

ବିପଦେ ଆପଦେ ସମ୍ପଦେ ବିଷାଦେ

ଶୁଭ ମନାସଇ ନିତି ।


ତାହାର ପଣତ ଶ୍ରୀମନ୍ଦିର ନେତ 

ଘଣ୍ଟ ଘୋଡ଼ାଏ ବିପଦେ

ସେନେହ ସୋହାଗେ ଝରାଏ ଆଶିଷ

ଜୀବନର ପ୍ରତି ପାଦେ ।


କି ଦେବି ଉପମା ସେ ଯେ ଅନୁପମା

ସମସ୍ତ ଗୁଣେ ସମ୍ପୂର୍ଣ୍ଣା

ସାକ୍ଷାତ ସ୍ଵରୂପେ ଅଟେ ମହାଲକ୍ଷ୍ମୀ

ସିଏ ପରା ଅନ୍ନପୂର୍ଣ୍ଣା ।


ସନ୍ତାନ ଆଖିରେ ଦେଖେ ସେ ସପନ

ବୁଣେ କେତେ ଉଚ୍ଚ ଆଶା

ନିଜ ପାଇଁ ତା'ର ନ ଥାଏ ସମୟ

ରଖେନାହିଁ ଅଭିଳାଷା।


ଗରଭ ଯନ୍ତ୍ରଣା ସହେ ଅକ୍ଳେଷରେ

ବକ୍ଷରେ ଭରି ପୀୟୁଷ

ସନ୍ତାନକୁ ଗଢେ ଅତି ଯତନରେ

କରେ ନାହିଁ କେବେ ରୋଷ।


ବର୍ଣ୍ଣି କି ପାରିବି ତା' ଗୁଣ ଗାରିମା

ଶୂନ୍ୟ ମୋ ଶବ୍ଦ ଭଣ୍ଡାର 

କୋଳଟି ତାହାର ମୋ ସରଗପୁର

ତୁଳନା ନାହିଁ ତାହାର।


ପ୍ରବାସେ ମୁଁ ଖୋଜେ ମା' କୋଳ ପରଶ

ମିଠା ବୋଳା ତା'ର କଥା

ଦେଖିଦେଲେ ଥରେ ମନ ଭରି ତା'କୁ

ଦୂର ହୁଏ ସବୁ ବ୍ୟଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational